ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୂଜା ଭସାଣି ସମୟରେ ଦୁଇ ଛାତ୍ର ଗୋଷ୍ଠୀ ବିବାଦରୁ ରକ୍ତ ସଂଘର୍ଷ ହୋଇଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନି ବର୍ଷର ଛାତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ କାଚମଦ ବୋତଲରେ ଆକ୍ରମଣ ଫଳରେ ତିନି ଛାତ୍ର ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ଶୁକ୍ରବାର ଅନୁଗୁଳ ସହର ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସରସ୍ୱତୀ ପୂଜା ଭସାଣି ହୋଇଥିଲା। ଭସାଣିରେ ଯୁକ୍ତଦୁଇ ଓ ଯୁକ୍ତ ତିନି ବର୍ଷର ପିଲା ନାଚିବା ସମୟରେ ଅଶ୍ଳୀଳ ଇଙ୍ଗିତ ନେଇ ଉଭୟ ଗୋଷ୍ଠୀ ଭିତରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଯୁକ୍ତତିନି ବର୍ଷର ପିଲା ପ୍ରଥମେ ଯୁକ୍ତ ଦୁଇ ବର୍ଷର ପିଲାଙ୍କ ସହ ଝଗଡା କରିଥିବା ବେଳେ କଥା ହାତାହାତି ଯାଏଁ ଯାଇଥିଲା। ଯୁକ୍ତ ତିନି ପିଲା ଏକ କାଚ ବୋତଲରେ ଯୁକ୍ତ ଦୁଇର ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ଛାତ୍ର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଅନ୍ୟପଟେ ଆକ୍ରମଣ କରିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।