ଘଟଣା ଓ ଦୁର୍ଘଟଣା

ଛାତ୍ର ଆତ୍ମହତ୍ୟା ଘଟଣା: ନିର୍ଯାତନା ଦେଇଥିବା ଛାତ୍ରାବାସ କେୟାର ଟେକର ଗିରଫ

By Angul TV Bureau

May 06, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଛାତ୍ର ବିବେକ ସାହୁ ଆତ୍ମହତ୍ୟା ଘଟଣାରେ ପୋଲିସ ଆଜି ଛାତ୍ରାବାସର କେୟାର ଟେକରକୁ ଗିରଫ କରିଛି। କେୟାର ଟେକର ବିବେକକୁ ମାଡ଼ ମାରିବା ସହ ବିନା ଦୋଷରେ ବେଜିତ କରିଥିଲା। ଏଥିରେ ମାନସିକ ଭାବେ ଆଘାତ ପାଇ ବିବେକ ଆତ୍ମହତ୍ୟା କରିଥିବା ନେଇ ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଥିଲା। ଏହି ସୁଇସାଇଡ଼ ନୋଟ ଆଧାରରେ ପୋଲିସ ଆଜି ଛାତ୍ରାବାସର କେୟାର ଟେକର ଲୋକନାଥ ସାହୁକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୨୧ ତାରିଖରେ ବାପୁଜୀ ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ର ବିବେକ ସାହୁଙ୍କ ଝୁଲନ୍ତା ସ୍ଥାନୀୟ ଘରୋଇ ଛାତ୍ରାବାସର ପଛ ପାଖ ଗଛରୁ ମିଳିଥିଲା। ଏହି ଘଟଣାର ତଦନ୍ତ କରୁଥିବା ପୁଲିସକୁ ଏକ ସୁଇସାଇଡାଲ ନେଟ୍ ମିଳିଥିଲା। ସେଥିରେ ଲେଖା ଥିଲା ଯେ, ଛାତ୍ରାବାସର କେୟାର ଟେକର ଭେଜିଡ଼ିହ ଗାଁର ଲୋକନାଥ ସାହୁ(୧୯) ଆତ୍ମହତ୍ୟା ସମ୍ପର୍କରେ ଜାଣିଛନ୍ତି। ପୋଲିସ ଅଧିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ୨୦ ତାରିଖ ଦିନ ଜଣେ ନର୍ସିଂ ଛାତ୍ରୀଙ୍କ ମୋବାଇଲ ହଜି ଯାଇଥିଲା। ଏ ନେଇ ଛାତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମୋବାଇଲକୁ ବିବେକ ପାଇ ଫେରାଇଥିଲେ। ଏହା ଜାଣିବା ପରେ କେୟାର ଟେକର ଲୋକନାଥ ବିବେକଙ୍କୁ ମୋବାଇଲ ଚୋରି କରିଛୁ ବୋଲି କହିବା ସହ ଅନ୍ତେବାସୀଙ୍କ ସାମ୍ନାରେ ମାର ପିଟ କରିଥିଲେ। ଏ ନେଇ ୪ ଜଣ ଛାତ୍ର ସାକ୍ଷୀ ଦେଇଛନ୍ତି ବୋଲି ପୁଲିସ କହିଛି। ସମସ୍ତ ତଥ୍ୟକୁ ଆଧାରକରି ଆଜି ଲୋକନାଥଙ୍କୁ ଗିରଫ କରି ପୁଲିସ ତାକୁ କୋର୍ଟ ଚାଲାଣ କରିଛି।