ମୁଖ୍ୟ ଖବର

ମହିମା ମାଘ ମେଳାର ସୁପରିଚାଳନାକୁ ଗୁରୁତ୍ୱ: ଅଙ୍ଗାରବନ୍ଧ ଧାମ ପରିଦର୍ଶନ କଲେ ଅନୁଗୁଳ ଉପଜିଲ୍ଲାପାଳ

By Angul TV Bureau

January 21, 2025

ଅନୁଗୁଳ: ଫେବ୍ରୁଆରୀ ୧୦ ରୁ ୧୪ ଯାଏଁ ପାଳିତ ହେବ ମହିମା ମାଘ ମେଳା। ମେଳାକୁ ସୂଚାରୁରୂପେ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଉଛି। ମେଳାରେ ହଜାର ହଜାର ଲୋକ ସମାଗମ ହେବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଆସିବେ। ଏଣୁ ସେମାନଙ୍କ ଯାତାୟାତ, ପରିଷ୍କାର ପରିଚ୍ଛନ୍ନ ସହ ପାନୀୟ ଜଳଯୋଗାଣର ସୁବନ୍ଦୋବସ୍ତ କରିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉଛି।

ଏଥିପାଇଁ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ଆଜି ଅଙ୍ଗାରବନ୍ଧ ମହିମା ଧାମ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଧାମରା କର୍ମକର୍ତ୍ତାମାନଙ୍କ ସହ ମେଳା ଆୟୋଜନ ନେଇ ଆଲୋଚନା କରିବା ସହ ମେଳାସ୍ଥଳୀକୁ ପରିଦର୍ଶନ କରିଥିଲେ। ମେଳା ସ୍ଥାନକୁ ସମତୁଲ କରି ଯୁଦ୍ଧକାଳୀନ ଭିତ୍ତିରେ ମାଟି ବିଛାଇବା ପାଇଁ ଗୁରୁତ୍ବ ଦେଇଥିଲେ ଉପଜିଲ୍ଲାପାଳ। ମେଳାରେ ପରିଷ୍କାର ପରିଚ୍ଛନ୍ନ, ପାନୀୟଜଳ ଓ ଗମନାଗମନ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରକାରର ବ୍ୟବସ୍ଥାକୁ ଆସନ୍ତା କାଲି ଉପଜିଲ୍ଲାପାଳଙ୍କ ନିଜସ୍ୱ କାର୍ଯ୍ୟାଳୟରେ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳଙ୍କ ଗସ୍ତ ବେଳେ ଧାମର ବାବା ତ୍ରିନାଥ ଦାସ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ବିଜ୍ଞାନୀ ବେହେରା, ଅଷ୍ଟମୀ ସାହୁ, ଦେବରାଜ ସାହୁ, ଆଡଭୋକେଟ ଅକ୍ଷୟ ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।