ଅନ୍ୟାନ୍ୟ

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ, ବଣିଆବାହଳ ପ୍ରଥମ

By Angul TV Bureau

June 10, 2025

ଅନୁଗୁଳ: ରାଜ୍ୟ ସରକାରଙ୍କ ମିସନ ଶକ୍ତି ବିଭାଗ ପକ୍ଷରୁ ଅନୁଗୁଳ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ସାହୁ ଓ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରୀତାଞ୍ଜଳି ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟରଞ୍ଜନ ପ୍ରଧାନ, କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀ, ପ୍ରକଳ୍ପ ସଂଯୋଜକ ଦେବୀ ଧରିତ୍ରୀ କର, ପ୍ରକଳ୍ପ ପରିଚାଳକ ଅକ୍ଷୟ କୁମାର ନାଏକ, ଜୀବିକା ମିସନ ସଂଯୋଜକ ମାନସୀ ତ୍ରିପାଠୀ, ସାଗରିକା ପ୍ରଧାନ, ସଞ୍ଜିବ କୁମାର ପ୍ରଧାନ, ସୌଦାମିନୀ ବେହେରା, କୋଷାଧ୍ୟକ୍ଷ ଜଗନ୍ନାଥ ସାହୁ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ୯ଟି ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୫ଟି ସହରାଞ୍ଚଳ ସ୍ବୟଂ ସହାୟକ ଗୋଷ୍ଠୀର ୪୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପାରମ୍ପରିକ ପୋଡ଼ ପିଠା, ଏଣ୍ଡୁରି ପିଠା, ମାଣ୍ଡିଆ, କାକରା, ଚାଉଳ ବରା, ଦହିବରା, ଖୁର ଗଇଁଠା, ଚାଟ, ମାଣ୍ଡିଆ ଦହିବରା, ସୁଆଁ ଛେନାପୋଡ଼, ମଣ୍ଡା ଓ ମାଣ୍ଡିଆରେ ପ୍ରସ୍ତୁତ ସ୍ବତନ୍ତ୍ର ପିଠା ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ବଣିଆବାହଳ ନାରୀ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରି ୫ ହଜାର ଟଙ୍କା ଓ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବିତୀୟ ସ୍ଥାନ ଅଧିକାର କରି ୪ ହଜାର ଟଙ୍କା ପୁରସ୍କୃତ ହୋଇଥିଲେ।