ମୁଖ୍ୟ ଖବର

ଅନୁଗୁଳରେ ଆରମ୍ଭ ହେଲା ସୁଭଦ୍ରା ଯୋଜନା, ମହିଳାଙ୍କ ଆକାଉଣ୍ଟକୁ ଆସିଲା ୫ ହଜାର ଟଙ୍କା

By Biswaranjan Pattnaik

September 17, 2024

ଅନୁଗୁଳ: ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆରମ୍ଭ ହୋଇଯାଇଛି ସୁଭଦ୍ରା ଯୋଜନା। ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭୁବନେଶ୍ବରର ଜନତା ମଇଦାନ ଠାରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଓ ସୁଭଦ୍ରା ଯୋଜନା ଦ୍ୱାରା ମହିଳା ଆର୍ଥିକ ଭାବେ ସ୍ବାବଲମ୍ବୀ ହେବେ ବୋଲି କହିଥିଲେ।

ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରସାରଣ ଆଭାସି ମାଧ୍ୟମରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ଯୋଗ ଦେଇ ଅନୁଗୁଳ ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଫଳରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ବଭୂଷଣ, ଢେଙ୍କାନାଳ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧିଙ୍କ ସମେତ ବିଭିନ୍ନ ପଞ୍ଚାୟତ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଶତାଧିକ ସୁଭଦ୍ରା ହିତାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।