ମୁଖ୍ୟ ଖବର

ଅନୁଗୁଳ ପୌର ଅଧିକାରୀଙ୍କୁ ଭେଟିଲା ନଗର କଂଗ୍ରେସ: ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ

By Angul TV Bureau

February 27, 2026

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଓ ଜନସାଧାରଣଙ୍କ ସୁବିଧା ପାଇଁ ଆଜି ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନଗର କଂଗ୍ରେସ ସଭାପତି ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ପ୍ରାର୍ଥୀ ବଲବୀର ସିଂ ଓ ସୁଦୀପ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସହରର ଐତିହ୍ୟ ସମ୍ପନ୍ନ ପିଜୁଳି ବନ୍ଧ, କୃଷ୍ଣା ସାଗର ଓ ମଦନମୋହନ ପୁଷ୍କରିଣୀର ସଂରକ୍ଷଣ ସହ ଜବରଦଖଲ ମୁକ୍ତ କରିବାକୁ ଦଳ ପକ୍ଷରୁ ଜୋରଦାର ଦାବି କରାଯାଇଛି।

ଏହାସହ ଅଚଳ ପାନୀୟ ଜଳ ପ୍ରକଳ୍ପକୁ ସଚଳ କରିବା, ଉଠା ଦୋକାନୀଙ୍କୁ ଉପଯୁକ୍ତ ଥଇଥାନ, ବୁଲା ପଶୁଙ୍କ ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ ଏବଂ ସହରର ବିଭିନ୍ନ ସ୍ଥାନରେ ପାର୍କିଂ ଓ ଶୌଚାଳୟ ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି। ଆଗାମୀ ଦିନରେ ଏହି ସମସ୍ୟାଗୁଡ଼ିକର ସମାଧାନ ନହେଲେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।