ଅନୁଗୁଳ: ଅନୁଗୁଳ ପୌରପାଳିକା ୨୦୨୫-୨୬ ଆର୍ଥିକ ବର୍ଷରେ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ମୋଟ ୭କୋଟି ୭୧ଲକ୍ଷ ୨୮ ହଜାର ଟଙ୍କାର ରାଜସ୍ୱ ସଂଗ୍ରହ କରି ସଫଳତା ଅର୍ଜନ କରିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୮ କୋଟି ୫୫ ଲକ୍ଷ ୩୭ ହଜାର ଟଙ୍କାର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୯୦.୧୭ ପ୍ରତିଶତ ରାଜସ୍ବ ଆଦାୟ କରାଯାଇଛି। ଏହି ରାଜସ୍ୱ ଆଦାୟ କରାଯିବା ପଛରେ ପୌରପାଳିକାର ନଗରପାଳ ଅକ୍ଷୟ କୁମାର ସାମନ୍ତ, ସମସ୍ତ ପରିଷଦ ଏବଂ କର୍ମଚାରୀଙ୍କ ଭୂମିକା ରହିଛି। ପୌରପାଳିକାର ରିପୋର୍ଟ ମୁତାବକ, ହୋଲଡିଂ ଟିକସ ପାଇଁ ୩ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୨ କୋଟି ୪୭ ଲକ୍ଷ ୫୪ ହଜାର ଟଙ୍କା ସଂଗ୍ରହ କରାଯାଇଛି। ଦୋକାନ ଘର ଭଡା ଟ୍ରେଡ ଲାଇସେନ୍ସ, ହୋଲଡିଂ ରାଜସ୍ବ, ପାର୍କିଂ ଫି, ୟୁଜର୍ସ ଫି, ଟାଉନ ହଲ, କଲ୍ୟାଣ ମଣ୍ଡପ, ସେସ୍ପୁଲ୍ ଏବଂ ବିଭିନ୍ନ ଫାଇନ ବାବଦକୁ ୫ କୋଟି ୪୧ ଲକ୍ଷ ୪୨ ହଜାର ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୫ କୋଟି ୨୩ ଲକ୍ଷ ୭୪ ହଜାର ଟଙ୍କା ସଂଗୃହୀତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ମାର୍ଗଦର୍ଶନରେ ପୌରପାଳିକାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ରାଜସ୍ବ ସଂଗ୍ରହରେ ଏହି ସଫଳତା ହାସଲ କରାଯାଇଥିବାରୁ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।