ଅନ୍ୟାନ୍ୟ

ଦରଦାମ୍ ବୃଦ୍ଧି ଉପରେ ଲଗାମ ସହ ୧୨ ଦଫା ଦାବି ନେଇ ୨୯ ରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ, ଜନସାଧାରଣ ସମର୍ଥନ ଜଣାଇବାକୁ ଆହ୍ୱାନ

By Angul TV Bureau

September 24, 2022

ଅନୁଗୁଳ: ୧୨ ଦଫା ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ବରରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ବିଶାଳ ରାଜ୍ୟସ୍ତରୀୟ ଗଣବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାବାସୀ ସାମିଲ ହେବାକୁ ଦଳ ପକ୍ଷରୁ ଆହ୍ବାନ କରାଯାଇଛି। ଆଜି ଶିକ୍ଷକପଡ଼ା ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଗରିବ, ଚାଷୀ, ମୂଲିଆ, ଶ୍ରମିକ, କର୍ମଚାରୀ, ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣଙ୍କ ଜୀବନ ଜୀବିକା ସଂକଟାପନ୍ନ ହୋଇପଡ଼ିଛି ବୋଲି କହିଥିଲେ।

ଜୀବନ ରକ୍ଷାକାରୀ ଔଷଧ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କୁ ଅଣନିଶ୍ଵାସୀ କରିପକାଇଛି। ଏହାକୁ ବିରୋଧ କରିବା ସହ ତୁରନ୍ତ ଦରଦାମ ବୃଦ୍ଧିରେ ଲଗାମ ଲଗାଇବାକୁ ସଂଘ ଦାବି କରିଛି। ଏହି ବିକ୍ଷୋଭରେ ତାଳଚେର ତଥା ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଦାବି କରାଯିବ ବୋଲି ସଂଘ କହିଛି।

ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଭ୍ୟ ଭିକାରୀ ପ୍ରଧାନ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଜୟସେନ ମେହେର, ବ୍ରଜବନ୍ଧୁ ସାହୁଙ୍କ ସମେତ ଅନୁଗୁଳ ଜିଲ୍ଲା କମିଟି ସଭ୍ୟ ତୀର୍ଥବାସୀ ଭୋଇ, ମାନସୀ ସ୍ଵାଇଁ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, କୈଳାସ ଚନ୍ଦ୍ର ସାହୁ, ରଣଜିତ ପ୍ରଧାନ, ପରମାନନ୍ଦ ସାହୁ, ସଞ୍ଜୟ ସାହୁ, ଟୁନା ନାଏକ, ଜଳଧର ଦେହୁରୀ ପ୍ରମୁଖ ଆହ୍ବାନ ଦେଇଛନ୍ତି।