ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ କଂଗ୍ରେସ ଦଳ ପକ୍ଷରୁ ଏକ ବଡ଼ ସାଙ୍ଗଠନିକ ପଦକ୍ଷେପ ନିଆଯାଇଛି। ପିସିସି ସମ୍ପାଦକ ସୁଦୀପ ମିଶ୍ରଙ୍କୁ କେନ୍ଦୁଝର ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା, ତୃଣମୂଳ ସ୍ତରର ସମସ୍ୟାକୁ ନିକଟରୁ ବୁଝିବା ଏବଂ ସାଙ୍ଗଠନିକ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବା ପାଇଁ ଏହି ନିଯୁକ୍ତିକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଅନୁଗୋଳର ଖଣି ଅଞ୍ଚଳରୁ ଆସିଥିବା ସୁଦୀପ ମିଶ୍ରଙ୍କର ସେଠାକାର ସାମାଜିକ-ସାଙ୍ଗଠନିକ ପରିସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଦୀର୍ଘ ଅଭିଜ୍ଞତା ରହିଛି। କେନ୍ଦୁଝରରେ ଏହି ଅଭିଜ୍ଞତାକୁ କିପରି କଂଗ୍ରେସ ସଂଗଠନ ଗଢ଼ିବାରେ ବ୍ୟବହାର କରାଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଆଗାମୀ ଦିନରେ କେନ୍ଦୁଝରର ପ୍ରତ୍ୟେକ ପଞ୍ଚାୟତ, ପୌରାଞ୍ଚଳ ଓ ବୁଥ୍ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଫୋକସ୍ ରହିବ ବୋଲି ସୁଦୀପ ମିଶ୍ର କହିଛନ୍ତି।ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମିଶ୍ର କହିଛନ୍ତି ଯେ କେନ୍ଦୁଝର କେବଳ ତାଙ୍କର ଏକ ଦାୟିତ୍ୱ ନୁହେଁ, ବରଂ ଏହା ଏକ ବଡ଼ ଦାୟିତ୍ୱ ଅଟେ। ସେ ଖଣି ଅଞ୍ଚଳକୁ ଭଲ ଭାବେ ବୁଝିବା ସହ ଲୋକଙ୍କ ଆଶା-ଆକାଂକ୍ଷାକୁ ଅନୁଭବ କରନ୍ତି ଏବଂ ତୃଣମୂଳରୁ ସଂଗଠନ ଗଢ଼ିବାର ଅଭିଜ୍ଞତା ରଖନ୍ତି ବୋଲି ମତପ୍ରକାଶ କରିଛନ୍ତି। ଆଗାମୀ ପୌର, ପଞ୍ଚାୟତ, ବିଧାନସଭା ଓ ଲୋକସଭା ନିର୍ବାଚନରେ କେନ୍ଦୁଝରରେ କଂଗ୍ରେସ ବ୍ୟାପକ ସଫଳତା ହାସଲ କରିବ ବୋଲି ସେ ଦୃଢ଼ ଆଶାବାଦୀ ଅଛନ୍ତି।
ଅନୁଗୋଳର ମା’ ବୁଢ଼ୀ ଠାକୁରାଣୀ ଏବଂ କେନ୍ଦୁଝରର ମା’ ତାରିଣୀଙ୍କ ଆଶୀର୍ବାଦ ସହ ସଂଗଠନକୁ ଅଧିକ ମଜବୁତ କରାଯିବ। ଦଳର କର୍ମୀମାନେ ପ୍ରତ୍ୟେକ ବୁଥ୍ରେ ପହଞ୍ଚି ଲୋକଙ୍କ ସ୍ୱର ଶୁଣିବେ ଏବଂ ଆଗାମୀ ପ୍ରତ୍ୟେକ ନିର୍ବାଚନରେ ପୂରା ଶକ୍ତିରେ ଲଢ଼େଇ କରିବେ ବୋଲି ସେ ସୂଚନା ଦେଇଛନ୍ତି।