ଅନୁଗୁଳ: ନେସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଅନୁସାରେ ଦେଶରେ ଆତ୍ମହତ୍ୟା ପ୍ରସଙ୍ଗରେ ମହାରାଷ୍ଟ୍ର ତଳକୁ ଓଡ଼ିଶା ରହିଛି।୨୦୧୯ ରେ ଓଡ଼ିଶାରେ ୪୫୮୨ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୨୦ରେ ଏହା ୫୫୪୬ରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରୁ ୧୪୬୯ ଜଣ ହେଉଛନ୍ତି ଛାତ୍ର ଓ ଯୁବକ। କରୋନା କାଳରେ ଏହି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥିବା ଦେଖାଯାଇଛି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ମଧ୍ୟ ଆତ୍ମହତ୍ୟା ଘଟଣା ଅଧିକ ଦେଖିବାକୁ ମିଳୁଛି। ବେକାରୀ ସମସ୍ୟା,ପ୍ରେମରେ ବିଫଳତା ଯୋଗୁଁ ଯୁବ ସମାଜ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ଏକମାତ୍ର ବାଟ ବୋଲି ଭାବୁଛନ୍ତି। ଦୁଇ ତିନୋଟି ଆତ୍ମହତ୍ୟା ଘଟଣାକୁ ନେଇ ଚଳିତ ବର୍ଷ ଅନୁଗୁଳ ଜିଲ୍ଲା ଚର୍ଚ୍ଚାରେ ରହିଛି।କିଛି ଦିନ ତଳେ ଅନୁଗୁଳ ଡାକ୍ତରଖାନାର ୪ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଜଣେ ଯୁବତୀଙ୍କ ପାଇଁ ଭୁବନେଶ୍ୱରର ଜଣେ ମଡେଲ ତଥା ବ୍ୟବସାୟୀ ଆତ୍ମହତ୍ୟା କରିବା ରାଜ୍ୟରେ ଚହଳ ପକାଇଥିଲା।ସେହିଭଳି ଗତ ଭାଲେନ୍ଟାଇନ ଡେ ରେ ସୌଭାଗ୍ୟ ନଗର ଅଂଚଳର ଜଣେ ଯୁବ ଇଞ୍ଜିନିୟର ପ୍ରେମରେ ବିଫଳ
ହୋଇ ଆତ୍ମହତ୍ୟା କରିବା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଥିଲା। ସବୁଠାରୁ ବଡ଼ କଥା ହେଲା ମୃତ ଇଞ୍ଜିନିୟରଙ୍କ ଭାଇ ଅଭିଷେକ ଝିଅ ଘର ବିରୁଦ୍ଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।ଝିଅ ଘର ପକ୍ଷରୁ ଧମକ ଚମକ ଦିଆଯିବା ଏବଂ ଆତ୍ମହତ୍ୟା ପାଇଁ ପରୋକ୍ଷରେ ପ୍ରବର୍ତ୍ତାଇବା ଅଭିଯୋଗ ହୋଇଛି। ପ୍ରେମିକା ମଧ୍ୟ ପ୍ରେମିକ ସାଙ୍ଗରେ ଗାଡ଼ିରେ ବସି ଡ୍ରାଇଭରେ ଯିବା, ହୋଟେଲରେ ଖାଇବା,ସପିଙ୍ଗ କରିଥିଲେ ମଧ୍ୟ ବାହାଘର ପାଇଁ ମନା କରିଦେବା ଘଟଣାକୁ ପ୍ରେମିକସହଜରେ ଗ୍ରହଣ କରିପାରିନାହିଁ। ଯୁବ ଇଞ୍ଜିନିୟର ଅଭିଜିତଙ୍କ କ୍ଷେତ୍ରରେ ମଧ୍ୟ ସେୟା ଘଟିଥିଲା।ସୋସିଆଲ ମିଡିଆରେ ମୃତ୍ୟୁ ପୂର୍ବରୁ ପ୍ରେମିକା ପାଖକୁ ହ୍ୱାଟ୍ସଆପ୍ ଭିଡିଓ ଚାର୍ଟ ଭାଇରାଲ ହେଉଥିବାବେଳେ ମନସ୍ତତ୍ତ୍ୱ ବିଜ୍ଞାନୀ ଏଥିପାଇଁ ଆବଶ୍ୟକ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।