ମୁଖ୍ୟ ଖବର

ଅଭାବନୀୟ ଘଟଣା: ବାଳ ସଂସ୍କାର ଗୃହରେ ନାବାଳକର ଆତ୍ମହତ୍ୟା

By Biswaranjan Pattnaik

July 05, 2024

ଅନୁଗୁଳ: ଶୁକ୍ରବାର ବଡି ଭୋର ସମୟରେ ଅନୁଗୁଳ ପରିଵୀକ୍ଷଣ ଛାତ୍ରାବାସ ବା ବାଳ ସଂସ୍କାର ଗୃହରେ ଜଣେ ନାବାଳକ ଆତ୍ମହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି। ଜେଲ ଅଧିକ୍ଷକ ଅମିର କୁମାର ନାଥଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ଗତ ରାତି ପ୍ରାୟ ୩:୪୫ ମିନିଟ ସମୟରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରାଇପଡ଼ା ଗାଁର ସ୍ୱର୍ଗତ ଜଗବନ୍ଧୁ ପ୍ରଧାନଙ୍କ ନାବାଳକ ପୁତ୍ର ଗାଧୁଆ ଘରକୁ ଯାଇ ଭିତରୁ କବାଟ କିଳି ତାପରେ ବେକରେ ଗାମୁଛା ଗୁଡ଼ାଇ ଝରକା ରେଲିଂରୁ ଝୁଲି ପଡ଼ିଥିଲେ। କିଛି ସମୟ ପରେ ଅନ୍ୟ ପିଲା ଗାଧୁଆ ଘରକୁ ଯିବାକୁ ଚାହିଁ ଦେଖିଲେ ଦୀର୍ଘ ସମୟ ଧରି କବାଟ ଭିତରୁ ବନ୍ଦ ଅଛି। ଜେଲ କର୍ତୃପକ୍ଷ ଏହାପରେ କବାଟ ତାଡ଼ି ନାବାଳକ ଜଣକୁ ତୁରନ୍ତ ଅନୁଗୁଳ ଡାକ୍ତରଖାନା ନେଇଥିଲେ ।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଏହାପରେ ଡାକ୍ତରଖାନା ପକ୍ଷରୁ ଥାନାକୁ ଖବର ଦିଆ ଯାଇଥିଲା। ପୋଲିସ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଜେଲ କର୍ତୃପକ୍ଷ ମତରେ ନାବାଳକ ଜଣକ ସାତ,ଆଠ ମାସ ହେବ ଅନୁଗୁଳ ସଂସ୍କାର ଗୃହକୁ ଆସିଥିଲେ। କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ ଜରିଆରେ ତାକୁ ଅନୁଗୁଳ ଅଣାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା କହିଛନ୍ତି ନାବାଳକର ମୁଣ୍ଡ ଖରାପ ଥିଲା ,ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ହେପାଜତରେ ଚିକିତ୍ସିତ ହେଉଥିଲା।ତଥାପି ସବିଶେଷ ତଦନ୍ତ ଚାଲୁ ରହିଛି। ତଦନ୍ତ ସରିବା ପରେ ସବୁ କଥା ସ୍ପଷ୍ଟ ଜଣା ପଡ଼ିବ।

ତେବେ ସାଧାରଣରେ ଛାତ୍ରାବାସର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ସଂସ୍କାର ଗୃହରେ ୩୪ ଜଣ ଅନ୍ତେବାସୀ ରହୁଥିବା ବେଳେ ଏବେ ସେମାନଙ୍କ ଉପରେ କି ପ୍ରଭାବ ପଡ଼ିବ ସେଥିନେଇ ଅନେକ ଚିନ୍ତା ପ୍ରକଟ କରିଛନ୍ତି।ଛାତ୍ରାବାସ ଭିତରେ ହୋମଗାର୍ଡ ଦିଆ ଯାଉଛି। କେମିତି କେହି ଏ ଘଟଣା ଜାଣି ପାରିଲେ ନାହିଁ ତାହା ଅନେକଙ୍କୁ ବିସ୍ମିତ କରିଛି। ଯଦି ମୁଣ୍ଡ ଦୋଷ କ୍ରମାଗତ ରହୁଥିଲା ତେବେ ଡାକ୍ତର ଖାନାରେ ନରଖି ଛାତ୍ରାବାସରେ ତାକୁ କାହିଁକି ରଖା ଯାଇଥିଲା ସେଥିନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି। ନାବାଳକର ବାପା ନଥିବା ବେଳେ ମା’ର ମୁଣ୍ଡ ଖରାପ ଥିବାରୁ ଶବ ବ୍ୟବଚ୍ଛେଦ ପରେ କାହାକୁ ହସ୍ତାନ୍ତର କରାଯିବ ସେଥିନେଇ ମଧ୍ୟ ଚିନ୍ତା ଦେଖା ଦେଇଛି। ଚୋରି ମାମଲାରେ ପିଲା ଟିକୁ ଏଠାକୁ ଅଣାଯାଇଥିଲା। ତାକୁ ଦେଖା କରିବାକୁ ତା ସଂପର୍କୀୟ କେହି ଆସିନଥିଲେ ସମ୍ବେଦନଶୀଳ ଏହି ଘଟଣାଟି ସହରରେ ଆଲୋଡନ ଖେଳାଇଦେଥିବା ବେଳେ ଏଥିପାଇଁ ପାଇଁ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବି ହେଉଛି ।