ମୁଖ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ସୁମନ୍ତଙ୍କ ମରଶରୀର ପାଳଲହଡା ପହଞ୍ଚିବ

By Angul TV Bureau

January 02, 2026

ଅନୁଗୁଳ: ପାଳଲହଡା ନିର୍ବାଚନ ମଣ୍ଡଳୀ ଖମାର ଅଞ୍ଚଳର ଯୁବକ ସୁମନ୍ତ ଜମିଦାର (୨୩)ଙ୍କ ଗୁରୁବାର ଦିନ ବାଙ୍ଗାଲୋର ର ଡଡାବଲ୍ହାବପୁର ଥାନା ଅଂଚଳରେ ମୃତ୍ୟୁ ଘଟିଥିଲା। ଏ ଖବର ତାଙ୍କର ଘର ଲୋକ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମନୀଷ ପ୍ରଧାନଙ୍କୁ ଜଣାଇବା ପରେ ସେ ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କୁ ଜଣାଇଥିଲେ। ପାଳଲହଡା ବିଧାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ମୃତ ବ୍ୟକ୍ତିର ବ୍ୟବଚ୍ଛେଦ ପରେ ବିମାନ ଯୋଗେ ଆସନ୍ତାକାଲି ସକାଳେ ମୃତ ବ୍ୟକ୍ତିର ଶରୀର ଭୁବନେଶ୍ୱରରେ ପହଞ୍ଚିବ। ସେଠାରୁ ପାଳଲହଡା ଖମାର ତାଙ୍କ ଘରକୁ ମୃତ ବ୍ୟକ୍ତିର ଶବ ପହଞ୍ଚିବ ବୋଲି ସୂଚନା ମିଳିଛି।

ପ୍ରକାଶ ଥାଉ କି, ଖମାର ଅଂଚଳର ମଙ୍ଗୁଲୁ ଜମିଦାରଙ୍କ ପୁଅ ସୁମନ୍ତ ଜମିଦାର ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଆସୁଥିଲେ। ହଠାତ୍ ନୂଆବର୍ଷର ରାତିରେ ସେ ମୃତ୍ୟୁବରଣ କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ମୃତ ବ୍ୟକ୍ତିଙ୍କ ମରଶରୀର ନିଜ ଗାଁକୁ ଆସୁଥିବାରୁ ସ୍ଥାନୀୟ ଅଂଚଳରେ କେନ୍ଦ୍ରମନ୍ତ୍ରୀଙ୍କୁ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।