ମୁଖ୍ୟ ଖବର

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

By Angul TV Bureau

January 06, 2023

ପୁରୀ : ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜିର ଦିନରେ ଅର୍ଥାତ, ପୌଷ ପୂର୍ଣ୍ଣିମା ଦିନ ଏହା କରାଯାଇଥିଲା। ପୌଷ ପୂର୍ଣ୍ଣିମା ଦିନ ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହି ଦିନ ଦେବମନ୍ଦିର ମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହୋଇଥାଏ।

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଉତ୍ସବ। ଆଜି ରତ୍ନସିଂହାସନରେ ଶ୍ରୀଜିଉ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତକାଲି ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇଛନ୍ତି।