ମୁଖ୍ୟ ଖବର

୧୦ମ ବୋର୍ଡ ପରୀକ୍ଷା ସୁପରିଚାଳନା ନିମନ୍ତେ ସୁପରିଟେଣ୍ଡେଣ୍ଟଙ୍କ କର୍ମଶାଳା, ଏଥର ମୋବାଇଲ ବ୍ୟବହାର ଉପରେ କଟକଣା

By Angul TV Bureau

February 15, 2025

ଅନୁଗୁଳ: ଆଗାମୀ ଦଶମ ବୋର୍ଡ ପରୀକ୍ଷା-୨୦୨୫ର ସୁପରିଚାଳନା ନିମନ୍ତେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସୁପରିଟେଣ୍ଡେଣ୍ଟ (ପରିଚାଳକ) ମାନଙ୍କର ଏକ କର୍ମଶାଳା ଆୟୋଜିତ ହୋଇଛି। କର୍ମଶାଳାରେ ଜିଲ୍ଲାର ମୋଟ ୯୨ଟି ପରୀକ୍ଷା କେନ୍ଦ୍ରର ୯୨ ଜଣ ସୁପରିଟେଣ୍ଡେଣ୍ଟ, ୮ଟି ନୋଡାଲ ସେଣ୍ଟର (ପ୍ରଶ୍ନପତ୍ର ହବ୍)ର ୮ ଜଣ ନୋଡାଲ ସୁପରିଟେଣ୍ଡେଣ୍ଟ ଏବଂ ୮ଟି ବ୍ଲକର ୮ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଏକ ସ୍ୱଚ୍ଛ, ଗୁଜବ ମୁକ୍ତ, ସନ୍ଦେହ ମୁକ୍ତ ପରୀକ୍ଷା ସୁପରିଚାଳାନା ନିମନ୍ତେ ଉପସ୍ଥିତ ସଭ୍ୟଙ୍କୁ ଆହ୍ବାନ ଦେଇଥିଲେ।ସୂଚନା ମୁତାବକ, ଜିଲ୍ଲାରେ ୧୫୬୨୨ ଜଣ ରେଗୁଲାର, ୨୦ ଜଣ ଏକ୍ସ ରେଗୁଲାର, ୧୫ ଜଣ କରେସପଣ୍ଡେନ୍ସ, ୨୩୦ ଜଣ ମୁକ୍ତ ବିଦ୍ୟାଳୟ ଓ ୨୦ ଜଣ ମଧ୍ୟମା ଛାତ୍ର ଛାତ୍ରୀଙ୍କ ସମେତ ମୋଟ ୧୫,୯୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସମଲ ବ୍ୟାରେଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।