ମୁଖ୍ୟ ଖବର

ପିଲା ଚୋରି ସନ୍ଦେହ ପୁଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ

୪ ସନ୍ଦିଗ୍ଧ ଯୁବକ ଥାନାରେ ଅଟକ

By Angul TV Bureau

February 09, 2021

ବଅଁରପାଳ : ହିନ୍ଦୋଳ ବ୍ଳକ୍ ସୀମାନ୍ତ ତଥା ବଅଁରପାଳ ଥାନା ଇଲାକା ଆମନା ଗ୍ରାମର ହନୁମାନ ମନ୍ଦିର ନିକଟରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ପିଲାଟୋର ସନ୍ଦେହରେ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଉଦ୍ଧାର କରିବାକୁ ଯାଇଥିବା ପୁଲିସ କର୍ମଚାରୀ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିବା ସହ ଏଥିରେ ୪ ଜଣ ପୁଲିସ କର୍ମଚାରୀ ଅହତ ହୋଇଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଅନ୍ୟ ପକ୍ଷରେ ବଅଁରପାଳ ପୁଲିସ ୪ ଜଣ ସଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ପିଲାଚୋର ନୁହେଁ,ବରଂ ପାଇପ୍‌ଲାଇରୁ ତେଲ ଚୋରିରେ ଏହି ଅଣଓଡ଼ିଆ ଯୁବକଙ୍କର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରିଛି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କାରରେ ସନ୍ଦେହଜନକ ଭାବରେ କିଛି ଯୁବକ ବୁଲାବୁଲି କରୁଥିବା ଜାଣିବାକୁ ପାଇଥିଲା । ଆମନା ଗ୍ରାମ ନିକଟରେ ପାଇପ୍‌ ଲାଇନ୍‌ରୁ ତେଲ ଚୋରି କରିବାକୁ ଏହି ଗୋଷ୍ଠୀ ବୁଲୁଥିବାର ସନ୍ଦେହ କରି ପୁଲିସ ୩ ଜଣଙ୍କୁ କାବୁ କରି ଥାନାକୁ ନେଇ ଆସିଥିଲା ।

ତେବେ ଥାନାରେ ସେମାନଙ୍କୁ ପଚରାଉଚୁରା ବେଳେ ଆଉ ଜଣେ ସେମାନଙ୍କର ସହଯୋଗୀ ଆମନା ଗ୍ରାମରେ ରହି ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ସଂପୃକ୍ତ ଯୁବକକୁ ଉଦ୍ଧାର କରିବାକୁ ପୁଲିସ ଗ୍ରାମରେ ପହଞ୍ଚିଲା ବେଳକୁ ପିଲାଚୋର ସନ୍ଦେହ କରି ସ୍ଥାନୀୟ ଲୋକ ଆମନା ହନୁମାନ ମନ୍ଦିର ନିକଟରେ ତାକୁ ଅଟକ ରଖି ବାଡ଼ିଆପିଟା ଚଳାଇଥିଲେ । ସନ୍ଦିଗ୍ଧଙ୍କ କାରଟିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ତେବେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଗ୍ରାମବାସୀ ପୁଲିସ ଉପରକୁ ଟେକାପଥର, ବୋତଲ ମାଡ଼ କରିବା ସହ ମାଡ଼ପିଟ୍ ମଧ୍ୟ କରିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ ଆକ୍ରମଣରେ ବଅଁରପାଳ ଥାନାର ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । କଣ୍ଟାବଣିଆ ଓ ବଅଁରପାଳ ଥାନାରୁ ଅଧିକ ଫୋର୍ସ ପହଞ୍ଚିବା ପରେ ସ୍ଥିତି ପୁଲିସ ନିୟନ୍ତ୍ରଣକୁ ଆସିଥିଲା । ପୁଲିସ କେତେକ ଆକ୍ରମଣକାରୀ ଗ୍ରାମବାସୀଙ୍କୁ ଉଠାଇ ଆଣିଥିବା ଜଣଯାଇଛି।