ମୁଖ୍ୟ ଖବର

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

By Angul TV Bureau

August 16, 2026

ଅନୁଗୋଳ: ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ସାହିରେ ଜଣେ ୬ ମାସର ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଟାବଣିଆ ଥାନା କୁଶୁପଙ୍ଗା ଗ୍ରାମର ସୋନାଲି ନାୟକ (୨୨)। ଗତ ଫେବ୍ରୁଆରୀ ୨୨ ତାରିଖରେ ଗଣେଶ ସାମଲଙ୍କ ସହ ତାଙ୍କର ବିବାହ ହୋଇଥିଲା।

ଗତକାଲି ସକାଳେ ସୋନାଲି ଆତ୍ମହତ୍ୟା କରିଥିବା ସ୍ୱାମୀ ତାଙ୍କ ଭାଇଙ୍କୁ ଜଣାଇଥିଲେ। ତେବେ ମୃତଦେହ ପଲଙ୍କ ଉପରେ ପଡ଼ିଥିବା ବେଳେ ମୃତ୍ୟୁ ପୂର୍ବରୁ ଲେଖାଯାଇଥିବା କୁହାଯାଉଥିବା ଏକ ଚିଠି ଘର ବାହାର ଅଗଣାରୁ ମିଳିବା ନେଇ ବାପଘର ଲୋକେ ଗଭୀର ସନ୍ଦେହ ପ୍ରକାଶ କରିଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ଦର୍ଶାଇ ସେମାନେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛି। ଘଟଣାର ସାଇଣ୍ଟିଫିକ୍ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।