ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ ଓ ତାଙ୍କ ସ୍ଵାମୀ, ବିଲ୍ ପାସ୍ କରିବାକୁ ନେଉଥିଲେ ୨୦ ହଜାର ଟଙ୍କା

By Angul TV Bureau

July 23, 2024

କଣିହାଁ: ଭିଜିଲାନ୍ସ ଜାଲରେ କଣିହାଁ ବ୍ଲକ ଅନ୍ତର୍ଗତ ସୁସୁବାର ସରପଞ୍ଚ। ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ଵାମୀ ଶିଶିର ସାମଲଙ୍କ ଠାରୁ ଭିଜିଲାନ୍ସ ବିଭାଗ ୨୦ ହଜାର ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି। ଆଜି କଟକ ଓ ଅନୁଗୁଳ ଜିଲ୍ଲାର ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ସୁସୁବା ପଞ୍ଚାୟତ ଅଫିସ୍ ଓ ସରପଞ୍ଚଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୨୦ ହଜାର ଟଙ୍କା ଜବତ ହୋଇଛି।

ସୂଚନା ମୁତାବକ, ଏମଜିଏନ୍ଆରଜିଏସ୍ ପ୍ରକଳ୍ପ ଅଧୀନରେ ଫ୍ରାମ୍ ପଣ୍ଡର ଶ୍ରମିକ ମାନଙ୍କର ବିଲ କରିବାକୁ ନେଇ ସରପଞ୍ଚ ପଇସା ମାଗୁଥିଲେ ବୋଲି ହିତାଧିକାରୀ ପଦ୍ମଚରଣ ପ୍ରଧାନ ଅଭିଯୋଗ କରିଥିଲେ। ତାଙ୍କୁ ପ୍ରଥମ ବିଲରେ ୬୦ ହଜାର ଟଙ୍କା ମିଳିଥିବା ବେଳେ ଅବଶିଷ୍ଟ ୧ ଲକ୍ଷ ୧୮ ହଜାର ଟଙ୍କା ବିଲ କରିବା ନେଇ ସରପଞ୍ଚ ତାଙ୍କୁ ହଇରାଣ କରୁଥିଲେ। ତାଙ୍କ ବିଲ ପାସ କରିବାକୁ ସରପଞ୍ଚ ୫୦ ହଜାର ଟଙ୍କା ଦେବାକୁ କହି ଥିଲେ। ଶେଷରେ ଉଭୟ ମଧ୍ୟରେ ୨୦ ହଜାର ଟଙ୍କା ଦେବାକୁ ମୂଲଚାଲ ହୋଇଥିଲା।

ଏ ବିଷୟରେ ପଦ୍ମଚରଣ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ଟିମ୍ ଉଭୟ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଟଙ୍କା ସହ ଧରିଛି। ସେମାନଙ୍କ ନାଁରେ ଭିଜିଲାନ୍ସ କେସ ନଂ ୧୮/୨୪ ୟୁ /ଏସ୍ ୦୭/୧୨ ସଂଶୋଧନ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରାଯାଇଛି l