ଅନୁଗୁଳ: ସାଧାରଣ ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ଭୋଟ ଦାନର ପ୍ରତିଶତ ଅଧିକରୁ ଅଧିକ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଏଥିପାଇଁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ‘ସ୍ବପ୍’ (SVEEP-Systematic Voters Education and Electoral Participation) ବୈଠକ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଥିବା ଭୋଟରମାନଙ୍କୁ ମୁଖ୍ୟତଃ ଯୁବ, ମହିଳା ଓ ସହରାଞ୍ଚଳ ବାସିନ୍ଦାଙ୍କୁ ଭୋଟ ଦାନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଯାଇଛି। ଜିଲ୍ଲାରେ ଥିବା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା, ପଥ ଉତ୍ସବ ଆୟୋଜନ କରିବା, ଜିଲ୍ଲାରେ ଥିବା ମୁଖ୍ୟ ଛକ ସ୍ଥାନରେ ଲୋକ କଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ଠାରେ ସେଲଫି ପଏଣ୍ଟ ସ୍ଥାପନ ଓ ଦସ୍ତଖତ ଅଭିଯାନ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ମାନବ ଶୃଙ୍ଖଳ, ରାଲି ସହ ସମସ୍ତ ସରକାରୀ ଯାନଗୁଡିକରେ ଷ୍ଟିକରିଂ ମାଧ୍ୟମରେ ଭୋଟ ଦାନର ମହତ୍ଵ ନେଇ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର, ଡେପୁଟି କଲେକ୍ଟର(ନିର୍ବାଚନ) ମମତା ପ୍ରଧାନ ଓ ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।