ମୁଖ୍ୟ ଖବର

ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର: ଅନୁଗୁଳ ପୌର ଇତିହାସରେ ଏକ ଗୌରବମୟ ଅଧ୍ୟାୟ

By Biswaranjan Pattnaik

September 12, 2025

ଅନୁଗୁଳ: ଗତ ୯ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁଗୁଳ ପୌରପାଳିକାକୁ ପ୍ରଦୂଷଣ ହ୍ରାସ ନେଇ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବାରୁ ଦେଶର ତୃତୀୟ ଶ୍ରେଷ୍ଠ ପୌରପାଳିକା ଭାବେ ପୁରସ୍କୃତ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଅଧ୍ୟାୟ।ଆମକୁ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ଏହା ଉତ୍ସାହିତ କରିବ।ପୌର କାର୍ଯ୍ୟାଳୟ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ନଗରପାଳ ଅକ୍ଷୟ କୁମାର ସାମନ୍ତ।

ଜାତୀୟ ରାଜପଥରୁ ଭାରିଯାନ ହଟାଇ ବାଇପାସରେ ଚଳାଇବା,ଖରାଦିନେ ରାସ୍ତାରେ ଜଳ ସିଞ୍ଚନ,ମେକାନିକାଲ ସୁଇପିଂର ପ୍ରଚଳନ,ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ଉପରେ କଟକଣା,ବୃକ୍ଷରୋପଣ ଭଳି ଉତ୍ତମ ପରିବେଶ ଉପଯୋଗୀ ପଦକ୍ଷେପ ନିଆଯାଇଥିବାରୁ ଆମକୁ ଏହି ପୁରସ୍କାର ମିଳିଲା ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ସମ୍ମିଳନୀରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଅନୁଗୁଳକୁ ଏକ ସୁନ୍ଦର ଓ ସମୃଦ୍ଧ ସହର ରୂପେ ଗଢି ତୋଳିବା ପାଇଁ ପୌରପାଳିକା ପକ୍ଷରୁ କିଭଳି ବହୁବିଧ ପଦକ୍ଷେପ ନିଆଯାଉଛି ତାର ଅବତାରଣା ଦେଇଥିଲେ ଉନ୍ନତ ପରିବେଶ ଓ ପରିମଳ ବ୍ୟବସ୍ଥା ବଜାୟ ପାଇଁ ଆଧୁନିକ ମେକାନିକାଲ ଉପକରଣର ପ୍ରୟୋଗ, ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା, ପୋଖରୀ ଗୁଡ଼ିକର ପୁନରୁଦ୍ଧାର ଆଦି କରାଯିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷା ଅନୁପମା ସାହୁ ଓ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଦେଶରେ ତୃତୀୟ ଶ୍ରେଷ୍ଠ ଅର୍ବାନ ଲୋକାଲ ବଡି ଭାବରେ ଅନୁଗୁଳକୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ସାମ୍ବାଦିକ ସମ୍ମିଳନୀରେ ସମସ୍ତ କାଉନସିଲର ଓ ସାମ୍ବାଦିକ ଯୋଗ ଦେଇଥିଲେ।