ମୁଖ୍ୟ ଖବର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ୨୧ ରେ, ଯୋଗଦେବେ ମୁଖ୍ୟମନ୍ତ୍ରୀ

By Angul TV Bureau

August 20, 2026

ଅନୁଗୋଳ: ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଆସନ୍ତା ୨୧ ଅଗଷ୍ଟ ଶୁକ୍ରବାର ଦିନ ତାଳଚେର ଗୁରୁଜାଙ୍ଗ ଗ୍ରାମରେ ପାଳିତ ହେବ। ଏହି ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉକ୍ତ ମହୋତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ରାଜ୍ୟ ମନ୍ତ୍ରୀମଣ୍ଡଳର ୧୦ ରୁ ଅଧିକ ମନ୍ତ୍ରୀ, ୩୦ ରୁ ଅଧିକ ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତୁତି ବୈଠକରେ ଯୋଗଦେଇ କାର୍ଯ୍ୟକ୍ରମକୁ ଭବ୍ୟ ଓ ସର୍ବବ୍ୟାପୀ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ସମଗ୍ର ଦେଶରୁ ସାଧୁ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଏହି ମହୋତ୍ସବରେ ଯୋଗ ଦେବେ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରସଙ୍ଗରେ ବୁଧବାର ଦିନ ଗୁରୁଜାଙ୍ଗ ମହଞତ୍ସବ ସ୍ଥଳୀ ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଅବଦଲ ଏମ ଅଖତାର, ଏସ୍‌ପି ରାହୁଲ ଜୈନ, ଉପ ଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ପ୍ରମୁଖ। ସେମାନେ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ବନ୍ଦୋବସ୍ତ ସମ୍ପର୍କରେ ସମୀକ୍ଷା କରିଥିଲେ। ସମିତିର ଜିଲ୍ଲା ସହ ସଂଯୋଜକ ପର୍ଶୁରାମ ବାରିକ, କାର୍ଯ୍ୟକ୍ରମ ବ୍ୟବସ୍ଥା ପ୍ରମୁଖ କାର୍ତ୍ତିକେଶ୍ୱର ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ପ୍ରସ୍ତୁତିରେ ଲାଗିଛନ୍ତି।