ମୁଖ୍ୟ ଖବର

ଆମ ଡାକ୍ତରଖାନା ଯୋଜନାରେ ଛେଣ୍ଡିପଦାକୁ ସାମିଲ କରିବା ଦାବି, ତହସିଲ ଅଫିସ ଘେରିଲେ ଶତାଧିକ ମହିଳା

By Sanjeeb Biswal

May 01, 2023

ଛେଣ୍ଡିପଦା: ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଆମ ହସ୍ପିଟାଲ ଯୋଜନାରୁ ବାଦ କରାଯିବା ପ୍ରତିବାଦରେ ଗତ ମାସ ୨୦ ତାରିଖରୁ ସ୍ଥାନୀୟ ଲୋକମାନେ ଆନ୍ଦୋଳନ ଚଳାଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏହାକୁ ବିରୋଧ କରି ସୋମବାର ପୂର୍ବାହ୍ନରେ ୨ ହଜାରରୁ ଅଧିକ ମହିଳା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ସ୍ଥାନୀୟ ପୋଲିସ ଗେଟ୍ ବନ୍ଦ କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ମହିଳା ମାନେ ଧସେଇ ପଶି ଯାଇଥିଲେ। କିନ୍ତୁ ତହସିଲଦାର ଉପସ୍ଥିତ ନ ଥିବାରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସମସ୍ତ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାରେ ଉତ୍ତୀର୍ଣ୍ଣ ମାନର ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଯୋଗାଇ ଦେବା ପାଇଁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିଥିବା ବେଳେ ଛେଣ୍ଡିପଦା କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇଛି, ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି।