ଅନୁଗୁଳ: ଚଳିତ ବିଧାନ ସଭାରେ ବିଜେପି ବିଧାୟକ ନବ ଚରଣ ମାଝି ଓ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଥିଲେ କି ସରକାରଙ୍କ ପାଖରେ ୧୫ ଟି ଜିଲ୍ଲାକୁ ଭାଙ୍ଗି ୨୮ ଗୋଟି ନୂଆ ଜିଲ୍ଲା କରିବା ପାଇଁ ଆବେଦନ ବା ପ୍ରସ୍ତାବ ରହିଛି। ଲୋକଙ୍କୁ ଶୀଘ୍ର କିପରି ପ୍ରଶାସନିକ ସୁବିଧା ମିଳିବ ସେଥିନେଇ ଜିଲ୍ଲାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି। ତେବେ ସରକାର ଠିକଣା ସମୟରେ ଠିକଣା ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି। ସେ ମଧ୍ୟ କହିଥିଲେ କି ନୂଆ ଜିଲ୍ଲା ଗଠନ ନେଇ ଗତ ୨୦୨୩ରେ ଏକ ଜନ ସ୍ଵାର୍ଥ ମାମଲା ରୁଜୁ ହୋଇଥିଲା ଏବଂ ହାଇକୋର୍ଟ ଜିଲ୍ଲା ଘୋଷଣା ପୂର୍ବରୁ ଏଥିନେଇ କୋର୍ଟକୁ ଅବଗତ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ଏହି ୨୮ଟି ନୂଆ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜକୁ ଭାଙ୍ଗି ୪ ଟି,ଗଞ୍ଜାମକୁ ଭାଙ୍ଗି ୪ ଟି ସୁନ୍ଦରଗଡ଼ରେ ରାଉରକେଲା ଓ ବଣାଇକୁ ନୂଆ ଜିଲ୍ଲା କରିବା ପାଇଁ ପ୍ରସ୍ତାବ ରହିଛି। ସେହିଭଳି ଅନୁଗୁଳ ଜିଲ୍ଲାରେ ତାଳଚେର ଓ ପାଲଲହଡ଼ା ଗଡ଼ଜାତକୁ ନୂଆ ଜିଲ୍ଲା କରିବା ପାଇଁ ପ୍ରସ୍ତାବ ରହିଛି। ତେବେ ଏ ନୂଆ ଜିଲ୍ଲା ଗଠନ କେବେ କେମିତି ହେବ ତାହା ଦେଖିବାକୁ ବାକି ରହିଲା।