ମୁଖ୍ୟ ଖବର

ଶାନ୍ତି ଶୃଙ୍ଖଳାରେ ୧୨ ଘଣ୍ଟିଆ ବନ୍ଦ ପାଳନ କଲା ତାଳଚେର ଓକିଲ ସଂଘ

By Angul TV Bureau

November 11, 2022

ତାଳଚେର: ତାଳଚେର ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏଁ ୧୨ ଘଣ୍ଟିଆ ତାଳଚେର ଓ ପାଳଲହଡ଼ା ବନ୍ଦ କରାଯାଇଛି। କୋର୍ଟର ସିଏଏସ୍ଆଇ ଓକିଲଙ୍କ ନାଁରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଓ ସଂପୃକ୍ତ ସିଏଏସ୍ଆଇ ତାଳଚେରଙ୍କୁ ନିଲମ୍ବିତ ଓ ଅନ୍ୟ ସିଏଏସ୍ଆଇ ଷ୍ଟାଫ ମାନଙ୍କର ବଦଳି ଦାବିରେ ଏହି ବନ୍ଦ କରାଯାଇଛି।

ସଂଘର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନେ ଆଜି ସକାଳୁ ଏମ୍ସିଏଲର ବିଭିନ୍ନ କୋଇଲାଖଣି, ଟ୍ରକ୍ ଓ ରେଳ ଯୋଗେ କୋଇଲା ପରିବହନ, ଯାତ୍ରୀବାହୀ ଗାଡ଼ି, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ପ୍ରତିଷ୍ଠାନ ଇତ୍ୟାଦିକୁ ବନ୍ଦ କରିବା ସହ ତାଳଚେର କୋର୍ଟ ପରିସର ଏବଂ ଟ୍ରାଫିକ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତାଳଚେର ଓକିଲ ସଂଘ ତରଫରୁ ସଭାପତି ସନ୍ତୋଷ କୁମାର ସାହୁ,ସାଧାରଣ ସମ୍ପାଦକ ଦିନବନ୍ଧୁ ସାହୁ, ଉପସଭାପତି ମାନସ ରଞ୍ଜନ ଶତପଥୀ, ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ସିଂ ଡିଙ୍ଗ୍ରା, ଅରୁଣ ଶଙ୍କର ମିଶ୍ର, କେଶବ ଭୂତିଆ, ଦୟାସାଗର ମିଶ୍ର, ରୀସ୍ମା ମଞ୍ଜରୀ ସାହୁ, ପ୍ରଭାତିନୀ ଆଚାର୍ଯ୍ୟ, ଅଖିଳ ସାମଲ, ବାଉରୀବନ୍ଧୁ ବେଜ୍, ମାନସ ବାଇଙ୍କ ସମେତ ଶତାଧିକ ସଦସ୍ୟ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ।

ଅନ୍ୟପଟେ ଇତି ମଧ୍ୟରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୧୫ ଦିନ ପୂରଣ ହୋଇଥିବା ବେଳେ ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ପ୍ରକାଶ କରିଛନ୍ତି।