ତାଳଚେର: ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି କିନ୍ତୁ ଆଜି ଯାଏଁ କିଛି ନିଷ୍କର୍ସ ବାହାରି ପାରିନାହିଁ। କୋର୍ଟ ସିଏଏସ୍ଆଇ ତାଳଚେର ସଂଜୟ କୁମାର ନାୟକଙ୍କୁ ନିଲମ୍ବିତ ଓ ଅନ୍ୟ କର୍ମଚାରୀଙ୍କୁ ବଦଳି କରିବାରେ ଟାଳଟୁଳ ନୀତି ନିର୍ଦ୍ଧାରଣ କରୁଥିବାରୁ ଏହାକୁ ବିରୋଧ କରି ଆଜି ଅପରାହ୍ନରେ ଓକିଲ ସଂଘ ତରଫରୁ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ମଧୁବାବୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ସିଏଏସ୍ଆଇ ଓକିଲମାନଙ୍କ ନାମରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ସଂପୃକ୍ତ ସିଏଏସ୍ଆଇ ତାଳଚେରଙ୍କୁ ନିଲମ୍ବିତ ଓ ଅନ୍ୟ ସିଏଏସ୍ଆଇ ଷ୍ଟାଫ ମାନଙ୍କର ବଦଳି ଯଥାର୍ଥ ଓ ଯୁକ୍ତିଯୁକ୍ତ ବୋଲି ମତବ୍ୟକ୍ତ କରିଥିଲେ। ଆସନ୍ତାକାଲି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ପରଦିନ ଅର୍ଥାତ ୧୧ ତାରିଖ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଓକିଲ ସଂଘ ପକ୍ଷରୁ ତାଳଚେର ବନ୍ଦ ଡାକରାକୁ ସମର୍ଥନ ଜଣାଇ ତାଳଚେର ଓ ପାଳଲହଡା ସବଡିଭିଜନ୍ କୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯିବା ପାଇଁ ସଭାରେ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଛି।
ବୈଠକରେ ପାଳଲହଡା, କଣିହାଁ ଓ ତାଳଚେର ଅଞ୍ଚଳର ସମସ୍ତ ରାଜନୈତିକ ଦଳର ନେତା, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, କାଉନସିଲର, ବୁଦ୍ଧିଜୀବୀ, ବଣିକ ସଂଘର କର୍ମକର୍ତ୍ତା, ଟ୍ରେଡ୍ ୟୁନିଅନର କର୍ମକର୍ତ୍ତା, ଟ୍ରକ ଓ ବସ୍ ଓନର ସଂଘର କର୍ମକର୍ତ୍ତା, ପ୍ରେସ୍ ଓ ସାମ୍ବାଦିକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।