ତାଳଚେର : ନିର୍ବାଚନ ତାତି ସହ ନେତାଙ୍କ ଆରୋପ ପ୍ରତ୍ୟାରୋପ ଉଷ୍ମତା ବି ବଢ଼ିବାରେ ଲାଗିଛି। ତାଳଚେରର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ପ୍ରଶ୍ନ କରିଛନ୍ତି ଯେ ପାଣ୍ଡିଆନ କିଏ? ତାଙ୍କ ଘର କେଉଁଠି? ଖାତା ଖତିୟାନ ନଥିବା ଲୋକ ଏ ମାଟିର ଗର୍ବ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଟିପ୍ପଣୀ ଦେଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ସୋମବାର ପାଣ୍ଡିଆନ ତାଳଚେର ଆସି ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବିଭିନ୍ନ ଟିପ୍ପଣୀ ଦେଇଥିଲେ।ଏ ପ୍ରସଙ୍ଗରେ କାଳନ୍ଦି ସାମଲ କହିଛନ୍ତି ବାହାରୁ ଆସିଥିବା ଲୋକ ଏ ମାଟିର ଗର୍ବ ଗୌରବ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଟିପ୍ପଣୀ ଦେଉଛନ୍ତି।
ଯାହାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ରତ୍ନ ବୋଲି ସମ୍ବୋଧନ କରନ୍ତି ସେ ଆମ ହିଙ୍ଗୁଳା ମାଟିର ସନ୍ତାନ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ କହୁଛି। ସତ୍ ସାହସ ଥିଲେ ମୁଖ୍ୟମନ୍ତ୍ରୀ କୁହନ୍ତୁ, ପ୍ରଶ୍ନ ପଚାରନ୍ତୁ ତାର ଉତ୍ତର ଆମେ ଦେବୁ ସେ କିଏ ବୋଲି କାଳନ୍ଦି ସାମଲ କହିଛନ୍ତି।
ହିଙ୍ଗୁଳା ମନ୍ଦିର ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦ କୋଟି ଟଙ୍କା ଦେଇଥିବା ବେଳେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଟ୍ରଷ୍ଟ ଗଠନ ନ କରିବାର ରହସ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାୟକ କହୁଛନ୍ତି ତାଙ୍କ କଥା କେହି ଶୁଣୁ ନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାରଣ୍ଡା ମାଡି ନ ପାରୁଥିବା ବିଧାୟକ ଗୁମାସ୍ତାଙ୍କ ପାଇଁ ଟେଣ୍ଟ ବାନ୍ଧୁଛନ୍ତି। ପାଣ୍ଡିଆନ ତାଳଚେରକୁ ବଦନାମ କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।