ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମଙ୍ଗଳବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୨୦ ଏକର ଜମିପଟ୍ଟା ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ମହାବିଦ୍ୟାଳୟର ଜମିପଟ୍ଟା ନଥିଲା ବେଳେ କଲେଜରେ ଏକ ସ୍ବତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅଧ୍ୟକ୍ଷ ବିନୟ ଖିଲାରଙ୍କୁ ଏହି ପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅର୍ଥର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ କଲେଜରେ ଏକ ପ୍ରଶାସନିକ ଭବନ, ଅଡିଟୋରିୟମ, ଷ୍ଟାଫ୍ କ୍ବାର୍ଟର, ସ୍ମାର୍ଟ ଶ୍ରେଣୀଗୃହ, ଉନ୍ନତମାନର ପାଠାଗାର, ସୁରକ୍ଷାକର୍ମୀ ନିୟୋଜିତ କରାଯିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଛାତ୍ର ଛାତ୍ରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ପାଠପଢ଼ା ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ବିଶ୍ଵରଞ୍ଜନ ରଥ, ତହସିଲଦାର ମନ୍ମଥ ନାୟକ, ପ୍ରାଧ୍ୟାପିକା ଜୟଶ୍ରୀ ତିୱାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।