ମୁଖ୍ୟ ଖବର

ଚମକିଲେ ତାଳଚେରର ଏଲିଟିଆନ୍‌: ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା, ସାର୍ଥକ ଟପ୍ପର, ତନ୍ମୟଙ୍କ ଗଣିତରେ ଶତକ

By Angul TV Bureau

April 16, 2026

ଅନୁଗୁଳ: ସଫଳତା ପାଇଁ ବଡ଼ ଭିତ୍ତିଭୂମି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ସଠିକ୍ ମାର୍ଗଦର୍ଶନ ଦରକାର। ଏହାକୁ ପ୍ରମାଣ କରି ଦେଖାଇଛି ତାଳଚେରର ବଡସିଂଘାଡା ସ୍ଥିତ ଏଲିଟ୍ ଏଜୁକେସନାଲ୍ ଗ୍ରୁପ୍। ସିବିଏସଇ ଏଆଇଏସଏସଇ ଦଶମ ପରୀକ୍ଷା-୨୦୨୬ ଫଳାଫଳରେ ଏହି ଅନୁଷ୍ଠାନ ୧୦୦ ପ୍ରତିଶତ ସଫଳତା ହାସଲ କରିଛି। ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି। ସଫଳତାର ଶୀର୍ଷରେ ଅଛନ୍ତି ତିନି ମେଧାବୀ। ସାର୍ଥକ ଏସ୍ ପ୍ରଧାନ ୯୩.୬% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନ୍ମୟ ସାଥୁଆ ୯୨% ଏବଂ ରାହୁଲ ସାହୁ ୯୦.୬% ମାର୍କ ରଖି ଅନୁଷ୍ଠାନର ଗୌରବ ବଢାଇଛନ୍ତି। ତନ୍ମୟ ସାଥୁଆ ଗଣିତରେ ୧୦୦ରୁ ୧୦୦ ମାର୍କ ରଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେବଳ ଟପ୍ପର୍ ନୁହେଁ, ସାମଗ୍ରିକ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ। ୩ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଓ ୬ ଜଣ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି। ଶ୍ରେଷ୍ଠ ପାଞ୍ଚଟି ବିଷୟକୁ ନେଇ ଶ୍ରେଣୀର ହାରାହାରି ୭୮.୨% ରହିଛି। ଏହି ସଫଳତା ପଛରେ ରହିଛି ଶିକ୍ଷକଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁଶୀଲ୍ ପ୍ରସାଦ୍ ସାହୁ ଏବଂ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ବେହେରା ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସେମାନେ ସାଧୁବାଦ ଜଣାଇଛନ୍ତି। ‘ଆମର ଲକ୍ଷ୍ୟ କେବଳ ମାର୍କ ନୁହେଁ, ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ଗଢିବା। ଆଜିର ଫଳାଫଳ ସେହି ଲକ୍ଷ୍ୟର ପ୍ରତିଫଳନ’ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି।

‘ଏ ଲେଗାସୀ ଅଫ୍ ଏକ୍ସଲେନ୍ସ’ ସ୍ଲୋଗାନକୁ ସାର୍ଥକ କରି ଏଲିଟ୍ ଏଜୁକେସନାଲ୍ ଗ୍ରୁପ୍ ଆଜି କେବଳ ତାଳଚେର ନୁହେଁ, ସାରା ଅନୁଗୁଳ ଜିଲ୍ଲା ପାଇଁ ପ୍ରେରଣା ପାଲଟିଛି।