ମୁଖ୍ୟ ଖବର

ତାଳଚେର ପୌରପରିଷଦ: ଅନାସ୍ଥା ପ୍ରସ୍ତାବରେ ଉପ-ନଗରପାଳ ପରାଜିତ, ନିଜ ବିରୁଦ୍ଧରେ ଦେଲେ ଭୋଟ୍

By Angul TV Bureau

May 27, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦର ବିଜେଡି ସମର୍ଥିତ ଉପ-ନଗରପାଳ ଶୁଭଶ୍ରୀ ସୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ସମସ୍ତ ୧୯ଟି ଯାକ ଭୋଟ ପଡ଼ିଛି। କାର୍ଯ୍ୟରେ ଅସମର୍ଥତା ଓ ବୈଠକରେ ଅନୁପସ୍ଥିତି ଯୋଗୁଁ ବିଜେପି ପକ୍ଷରୁ ଏହି ପ୍ରସ୍ତାବ ଅଣାଯାଇଥିଲା।

୨୧ ୱାର୍ଡବିଶିଷ୍ଟ ଏହି ପୌରପରିଷଦରେ ବିଜେପିର ୧୬ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ମତଦାନ କରିଥିଲେ। ଅନ୍ୟପଟେ, ବିଜେଡିର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଅନୁପସ୍ଥିତ ଥିବା ବେଳେ ଉପ-ନଗରପାଳଙ୍କ ସମେତ ବାକି ୩ ଜଣ ସଦସ୍ୟ ନିଜ ଦଳ ବିରୁଦ୍ଧରେ ଯାଇ ଅନାସ୍ଥା ସପକ୍ଷରେ ଭୋଟ ଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଫଳାଫଳ ପରେ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଥିବା ବେଳେ ବିଜେଡି ନିରାଶ ହୋଇଛି। ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ଏବଂ ନିୟମାନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।