ମୁଖ୍ୟ ଖବର

ଡକାୟତି ଯୋଜନା ପଣ୍ଡ: ୨ ଗିରଫ, ୪ ଫେରାର

By Angul TV Bureau

August 08, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ସ୍କଟଲାଣ୍ଡପୁର ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ୨ ଜଣଙ୍କୁ ଗିରଫ କରିଛି। ପୋଲିସକୁ ଦେଖି ଆଉ ୪ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସ୍କଟଲାଣ୍ଡପୁର ଗ୍ରାମର କେଦାର ଗୋଚ୍ଛାୟତ ଓ ଖମାର ଥାନା ଅନ୍ତର୍ଗତ କଣ୍ଟିଆପଶି ଗ୍ରାମର ଦୀପକ ପ୍ରଧାନ। ସେହିପରି ଫେରାରମାନେ ହେଲେ ବାଘୁଆବୋଲ ଗ୍ରାମର ବିକି ଓରଫ ବିକାଶ ନାଏକ, ତାଳଚେର ଟାଉନ ବାପୁଜୀ ନଗରର ସିପୁ ନାଏକ, ରାଧାରମଣପୁର ଗ୍ରାମର ଆଲୋକ ଭୂତିଆ, ସ୍କଟଲାଣ୍ଡପୂର ଗ୍ରାମର ରାଜୁ ନାଏକ ଓରଫ ବିଠଲ କଣା।

ସୂଚନା ମୁତାବକ, ୫ ରୁ ୬ ଜଣ ମାରଣାସ୍ତ୍ର ରଖି ସ୍କଟଲାଣ୍ଡପୁର ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ନେଇ ପୋଲିସ ପାଖେ ଖବର ପହଞ୍ଚିଥିଲା। ପୋଲିସ ପହଞ୍ଚିବା ବେଳକୁ ୫/୬ ଜଣ ଲୋକ ମାରଣାସ୍ତ୍ର ଧରି କଥା ହେଉଥିଲେ। ସେମାନେ ପୋଲିସକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ ମାଡ଼ିବସିଥିବା ବେଳେ ୪ ଜଣ ଅନ୍ଧାରର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ନିକଟରୁ କଟରା, ଲୁହା ରଡ୍, ପିସ୍ତଲ, ସିଙ୍ଗିଲ ବ୍ୟାରେଲ ଦେଶୀ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି ଓ ଏକ ଭିଭୋ ମୋବାଇଲ ଜବତ କରାଯାଇଛି।