ମୁଖ୍ୟ ଖବର

ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ, ୧୨ ଡକାୟତ ଗିରଫ

By Angul TV Bureau

March 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ୧୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଏକ ୬ ଚକିଆ ଟାଟା ଟ୍ରକ ଓ ଏକ ପିକଅପ୍ ଜବତ ହୋଇଛି।

ସୂଚନା ମୁତାବକ, ଗତ ୨୪ ତାରିଖ ରାତିରେ ଏନଟିପିସି ଆସ ପଣ୍ଡ ଷ୍ଟକ ୟାର୍ଡରେ ୨୦ ଜଣ ଡକାୟତ ମାରଣାସ୍ତ୍ର ଧରି ପ୍ରବେଶ କରିଥିଲେ। ସେଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ୧୨,୫୪୬ କେଜିର ଲୁହା ସାମଗ୍ରୀ ନେଇ ପଳାଇ ଥିଲେ। ଚୋରି ସାମଗ୍ରୀର ମୂଲ୍ୟ ୧୩ ଲକ୍ଷ ୯ ହଜାର ୨୦ ଟଙ୍କା ହେବ। ଏ ସମ୍ପର୍କରେ ଏନଟିପିସିର ଏଜିଏମ୍ ବୁରହନ ମାଝୀ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ଆଧାରରେ ତାଳଚେର ଥାନାରେ ୧୪୨/୨୫ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ବ୍ଲକ ସନ୍ଥପଡା ଗ୍ରାମର ପଦୁ ଓରଫ ଅଜୟ କୁମାର ସାମଲ, ଟିଟୁ ବିଶି, ସଚ୍ଚିଦାନନ୍ଦ ସାମଲ, ଦୁଃଖବନ୍ଧୁ ଦେହୁରୀ, ବିଲି ନାହାକ, ପିଣ୍ଟୁ ଓରଫ କନ୍ଦର୍ପ ସାମଲ, ପ୍ରସାଦି ସାମଲ, ସଂଜୟ ସାମଲ, ସାନୁ ସାହୁ, ମଧ୍ୟପ୍ରଦେଶ ରାଇସେନର ଗଣେଶ ରାମ, ଶଙ୍କର ଲାଲ, ଆଲୋକ କୁମାର ନାୟକ।

ଏହି ଚଢ଼ଉରେ ସବ ଇନ୍ସପେକ୍ଟର ତୁଷାରକାନ୍ତ ମହାନ୍ତି, ଦେବବ୍ରତ ନାୟକ, ସତ୍ୟବ୍ରତ ରାଉତ, ଏଏସଆଇ ଗୋଲକ ବିହାରୀ ସେଠୀ, ଲଳିତେନ୍ଦ୍ର ପ୍ରଧାନ, ବିବ୍ରତ ଗଡ଼ ନାୟକ, ରମେଶ ପ୍ରଧାନ ପ୍ରମୁଖ ସାମିଲ ଥିଲେ।