ମୁଖ୍ୟ ଖବର

ଜବରଦଖଲକାରୀଙ୍କ କବଜାରେ ରାଣୀପାର୍କ ଜମି, ସବୁ ଜାଣି ବି ସରକାରୀ ଅଧିକାରୀ ଚୁପ୍

By Angul TV Bureau

February 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ମାତିଛନ୍ତି ସରକାରୀ ଜମି ହଡ଼ପକାରୀ। ସରକାରଙ୍କ ଜାଣତରେ ସବୁ ଚାଲିଥିବା ବେଳେ ଅଧିକାରୀ କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ଦଲାଲଙ୍କ ଚେର ଅଧିକ ମାଡି ଚାଲିଛି। ତାଳଚେର ସହରର ରାଣୀପାର୍କ ଜମି ଗୁଡିକୁ ଏବେ ଯିଏ ଯେଉଁଠି ପାଇଲା, ଜବରଦଖଲ କରି ଘର କରି ଚାଲିଥିବା ଦେଖିବାକୁ ମିଳିଛି। ପୌରପରିଷଦ ଚାରିନମ୍ବର ୱାର୍ଡ ସିଂ ସାହିରେ ସରକାରୀ ଜମିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ଆଣି ୱାର୍ଡର କିଛି ମହିଳା ତାଳଚେର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ମହିଳାଙ୍କ ଅଭିଯୋଗ ମୁତାବକ, ତହସିଲ ବିଭାଗୀୟ ଅଧିକାରୀ ଓ ସରକାରୀ ଜମି ଜବରଦଖଲକାରୀ ଲୋକଙ୍କୁ ଡକାଇ ସେମାନଙ୍କ ମଧ୍ୟରେ ଭିତିରି ସଲାସୁତରା କରି ଜାଗା ବିକି ଦେଉଛନ୍ତି। ରାଣୀ ପାର୍କର ପାଚେରୀ କଡ଼ରେ ବହୁ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ କବଜାରେ। ଏ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରାଯାଉଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଅଧିକାରୀଙ୍କ କାର୍ଯ୍ୟକୁ ସନ୍ଦେହ ଘେରକୁ ଟାଣି ଆଣିଛି। ସରକାରଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବାରେ ତାଳଚେର ତହସିଲ ଓ ପ୍ରଶାସନ ଫେଲ ମାରିଛି ବୋଲି ଅଭିଯୋଗ ହେଉଛି। ଏଣୁ ଜମିକୁ ଜବରଦଖଲ ମୁକ୍ତ କରାଯାଉ ବୋଲି ଗତ କାଲି ଚାରି ନମ୍ବର ୱାର୍ଡର ମହିଳାମାନେ ଅଭିଯୋଗ କରିଛନ୍ତି।