ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରରେ ଆଗାମୀ ଗଣେଶ ପୂଜା ଏବଂ ପାର୍ବଣ ଋତୁକୁ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ତାଳଚେର ଟାଉନ ପୋଲିସ ପକ୍ଷରୁ ସହରରେ ଏକ ବିଶାଳ ଫ୍ଲାଗମାର୍ଚ୍ଚ କରାଯାଇଛି। ଚଳିତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇ ୨୬ ତାରିଖ ଇନ୍ଦୁପୂର୍ଣ୍ଣମାରେ ବିସର୍ଜନ ହେବ। ପୂଜା ସମୟରେ ଚୋରି, ଛିନତାଇ, ରାହାଜାନୀ ରୋକିବା ସହ ମଦ୍ୟପ ଗାଡ଼ିଚାଳକଙ୍କୁ କାବୁ କରିବା ଏହି ମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ।
ତାଳଚେର ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାରେ ଆଲୋକମାଳା ଓ ବହୁ ଦୋକାନ ବଜାର ବସି ଲୋକାରଣ୍ୟ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ଛକରେ ପୋଲିସ କ୍ୟାମ୍ପ କରାଯିବ ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।