ମୁଖ୍ୟ ଖବର

ବିଧାନସଭାରେ ତାଳଚେର ଟ୍ରକ ମାଲିକଙ୍କ ଜୀବନ ଜୀବିକା ପ୍ରସଙ୍ଗ, ଦ୍ଵିତୀୟ ଥର ପାଇଁ ପ୍ରଶ୍ନ ଉଠାଇଲେ ବିଧାୟକ

By Angul TV Bureau

September 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଟ୍ରକ୍ ମାଲିକଙ୍କ ଜୀବନ ଜୀବିକକୁ ନେଇ ଦ୍ଵିତୀୟ ଥର ପାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ତାଳଚେରର ବେକାର ଯୁବକ ଯୁବତୀ ଋଣ କରି ଟ୍ରକ ଖଣ୍ଡିଏ ଆଣି ପରିବହନ କାର୍ଯ୍ୟରେ ଲଗାଇ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଏବେ କୋଇଲା କଂପାନୀ ପକ୍ଷରୁ ପର୍ଯ୍ୟାପ୍ତ କୋଇଲା ନ ମିଳିବା କାରଣରୁ ପରିବହନ କାର୍ଯ୍ୟରେ ଟ୍ରକମାଲିକଙ୍କ ସମସ୍ୟା ସୃଷ୍ଟି ହୋଇଛି। ତାଳଚେରରେ ପ୍ରାୟ ଆଠ ହଜାରରୁ ଅଧିକ ଟ୍ରକ କୋଇଲା ପରିବହନରୁ ବଞ୍ଚିତ ହୋଇଥିବା ନେଇ ବିଧାନସଭା ଗୃହରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାର ସମସ୍ତ ଶିଳ୍ପାନୁଷ୍ଠାନରେ ଟ୍ରକ ଯୋଗେ କୋଇଲା ପରିବହନ କରିବା ପାଇଁ ପ୍ରାଧାନ୍ୟ ରହିଥିବା ବେଳେ ପ୍ରାୟ ୧ ବର୍ଷ ହେବ ତାଳଚେର ଟ୍ରକ କୋଇଲା ପରିବହନରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ, ପରିବହନ ମନ୍ତ୍ରୀ, କେନ୍ଦ୍ର ରେଳ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ଆର୍ଥିକ ସଙ୍କଟ ଯୋଗୁ କିଛି ଟ୍ରକ ମାଲିକ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଏଣୁ ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ସେ ନିବେଦନ କରିଛନ୍ତି।