ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ସାପ୍ତାହିକ ହାଟରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ପକେଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ। ସୂଚନା ମୁତାବକ, ଜଳତାପ ଗାଁର କାଶିନାଥ ପ୍ରଧାନ ଗୁରୁବାର ସକାଳେ କୋଶଳା ସାପ୍ତାହିକ ହାଟକୁ ଜିନିଷ କିଣିବାକୁ ଆସିଥିଲେ। ସେ ଜିନିଷ କିଣୁଥିବା ବେଳେ ଛତିଶଗଡ଼ ଭୀମଖୋଜ ଥାନା ଅଞ୍ଚଳର ଅଜୟ ନେତନ(୨୦) ନାମକ ଜଣେ ଯାଯାବର ଯୁବକ ତାଙ୍କ ଛାତି ପକେଟରେ ଥିବା ୨ ହଜାର ଟଙ୍କା ନେଇ ପଳାଇଲେ। କାଶିନାଥ ପାଟିକରିବାରୁ ସେଠାରେ ଥିବା ଅନ୍ୟ ଲୋକମାନେ ଅଜୟଙ୍କୁ କାବୁକରି ନିସ୍ତୁକ ମାଡ଼ ମାରିଲେ। ପରେ ପୁଲିସକୁ ହସ୍ତାନ୍ତର କରିଲେ। ଏ ନେଇ କାଶିନାଥଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁକରି ଅଜୟଙ୍କୁ କୋର୍ଟ ଚାଲାଣ କରିଛି।