ମୁଖ୍ୟ ଖବର

ଆସନ୍ତା ୧୦ ତାରିଖରୁ ଅନୁଗୁଳରେ ପ୍ଲାଷ୍ଟିକ ଓ କାଗଜ କପରେ ଚା’ ନିଷେଧ

By Biswaranjan Pattnaik

March 07, 2025

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଅନୁଗୁଳ ପୌରପାଳିକା ଅଞ୍ଚଳରେ ଥିବା ଚା’ ଦୋକାନରେ ପ୍ଲାଷ୍ଟିକ ଓ କାଗଜ କପର ବ୍ୟବହାରକୁ ନିଷେଧ କରାଯାଇଛି। ଆଜି ପୌର ସଭାକକ୍ଷରେ ଆୟୋଜିତ ଚା’ ଦୋକାନୀଙ୍କ ଏକ ବୈଠକରେ ଏକଥା ଘୋଷଣା କରିଥିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ।

ବୈଠକରେ ଶ୍ରୀ ତ୍ରିପାଠୀ କହିଥିଲେ କି ପ୍ଲାଷ୍ଟିକ କପ ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାରକ। ସେହିଭଳି କାଗଜ କପର ବହୁଳ ବ୍ୟବହାର ଯୋଗୁଁ ଆବର୍ଜନା ଅଧିକ ସୃଷ୍ଟି ହେଉଛି। ବୁଲା ଗାଈ ଗୋରୁ ସେସବୁକୁ ଖାଇ ରୋଗର ଶିକାର ହେଉଛନ୍ତି। ତେଣୁ ଆସନ୍ତା ୧୦ ତାରିଖରୁ ପ୍ଲାଷ୍ଟିକ ଓ କାଗଜ କପରେ ଚା’ ଦେବାକୁ ବାରଣ କରାଯାଇଛି। ଯେଉଁ ଦୋକାନୀ ମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ବୈଠକରେ ପରିମଳ ଅଧିକାରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ଟିକସ ଦାରୋଗା ବିଭୁତି ମହାରଣାଙ୍କ ସମେତ ୫୦ରୁ ଅଧିକ ଚା’ ଦୋକାନୀ ଉପସ୍ଥିତ ଥିଲେ।