ମୁଖ୍ୟ ଖବର

ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି, ୧୦ ବର୍ଷ ଧରି ଶିକ୍ଷକତା କରୁଥିବା ଯୁବକଙ୍କୁ ବାନ୍ଧିଲା ଅନୁଗୁଳ ପୋଲିସ

By Sanjeeb Biswal

November 23, 2024

ଅନୁଗୁଳ: ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି। ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ, ପ୍ରାୟ ୧୦ ବର୍ଷ ହେଲା ଏହି ଜାଲି ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥିଲେ। ଆଉ ଏବେ ଧରାପଡ଼ିବା ପରେ ଜେଲ୍‌ ଯାଇଛନ୍ତି। ଗିରଫ ହୋଇଥିବା ଶିକ୍ଷକ ହେଲେ ଛେଣ୍ଡିପଦା ଥାନା ସନ୍ତରାବନ୍ଧର ବିନୋଦ କୁମାର ସାହୁ(୩୬)। ସେ ପୁରୁଣାଗଡ଼ର ବରାଳ ବାଲୁଙ୍କେଶ୍ବର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ କାମ କରୁଥିଲେ।

ପୋଲିସ ସୂଚନା ଅନୁସାରେ, ଜାଲ୍ ପ୍ରମାଣପତ୍ର ଦେଇ ବି‌ନୋଦ କୁମାର ସାହୁ, ମାନସ କୁମାର ସାହୁ ଓ ମିହିର କୁମାର ବିଶ୍ବାଳ ଶିକ୍ଷକ ଭାବେ ଚାକିରି କରୁଥିବା ନେଇ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୯୩୨/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ, ବିନୋଦ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟରୁ ବିଇଡି ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି। କିନ୍ତୁ ସେ ଏଠାରେ ପାଠ ନ ପଢ଼ି ଅନୁଗୁଳର ଏକ ସଂସ୍ଥାଠାରୁ ଏହି ପ୍ରମାଣପତ୍ର ଆଣିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ୬୫ ହଜାର ଟଙ୍କା ଦେଇ ‌ସେ ଏହି ପ୍ରମାଣପତ୍ର ନେଇଥିବା କହିଥିଲେ। ପରେ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ଏହି ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ। ପରେ ବିଦ୍ୟାଳୟକୁ ବ୍ଲକ୍‌ ଗ୍ରାଣ୍ଟ୍‌ ମିଳିଥିଲା। ତେଣୁ ତାଙ୍କୁ ସରକାରଙ୍କ ପକ୍ଷରୁ ଦରମା ମିଳୁଛି। ମିଛ ପ୍ରମାଣପତ୍ର ଦେଇ ସରକାରଙ୍କୁ ଠକିଥିବା ଅଭିଯୋଗରେ ଅନୁଗୁଳ ପୋଲିସ ଆଜି ତାଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପଟେ ଅଭିଯୋଗ ଆସିଥିବା ଅନ୍ୟ ଶିକ୍ଷକଙ୍କ ବିରୋଧରେ ପୋଲିସ ଛାନଭିନ ଚଳାଇଛି। ଏହି ଜାଲ ପ୍ରମାଣପତ୍ର ରାକେଟ୍‌ରେ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।