ଅନୁଗୁଳ: ପିଲାଙ୍କର ଶୀଘ୍ର ଛୁଟି କରି ରୋଷେୟାଙ୍କୁ ତାଲା ପକାଇ ଦେଇ ଛୁ ମାରିଛନ୍ତି ସାର। ବିଶ୍ୱାସ ନ ହେଲେ ବି ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତ ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଏଠାକାର ଶିକ୍ଷକ ଭରତ ଦେହୁରୀ ଶନିବାର ମଦ ପିଇବାକୁ ପିଲାଙ୍କୁ ଜଲଦି ଛୁଟି କରିଦେଇଥିବା ଜଣାଯାଇଛି।
ସୂଚନା ମୁତାବକ, ଶନିବାର ସକାଳୁଆ ପାଠ ପଢ଼ା ହେଉଥିଲା। ଦିନ ୧୧ ଟା ଯାଏ ପାଠ ପଢ଼ା ହେବା କଥା। କିନ୍ତୁ ପରିବା ନଥିବା ଯୋଗୁଁ ରୋଷେଇ ହୋଇ ନଥିଲା। ଏଣୁ ଶିକ୍ଷକ ସକାଳ ୯ ଟାରୁ ପିଲାମାନଙ୍କୁ ଛୁଟି କରି ଦେଇଥିଲେ। କିନ୍ତୁ ରୋଷେୟା ତିନିଜଣ ରୋଷେଇ ଘର ଭିତରେ ଥିଲେ ମଧ୍ୟ ଶିକ୍ଷକ ଭରତ ସେମାନଙ୍କୁ ତାଲା ପକାଇଦେଇ ମଦ ପିଇ ପଳାଇ ଥିଲେ। ପରେ ଭରତ ମଦ ପିଇ ଆସି ସ୍କୁଲ୍ ରେ ଶୋଇଥିଲେ। ଖବର ପାଇ ସାମ୍ୱାଦିକମାନେ ସ୍କୁଲରେ ପହଞ୍ଚି ତାଙ୍କୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କାହିଁକି ମିଳିନି ବୋଲି ପଚାରିଥିଲେ। କିନ୍ତୁ ସେ ନିଶାରେ ଟଳମଳ ହୋଇ ମୋର କିଏ କଣ ଉଖାଡ଼ିବ ବୋଲି କହିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।