ଅନ୍ୟାନ୍ୟ

ଗୁରୁକୁଳ କ୍ଲାସେସରେ ଗୁରୁଦିବସ ପାଳିତ

By Angul TV Bureau

September 09, 2026

ଅନୁଗୋଳ: ଅମଲାପଡାସ୍ଥିତ ୬ଷ୍ଠ ଲେନ୍ ରେ ଥିବା ଗୁରୁକୁଳ କ୍ଲାସେସ୍ ପରିସରରେ ଗୁରୁଦିବସ ପାଳନ କରାଯାଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ବରିଷ୍ଠ ଓଡ଼ିଆ ଶିକ୍ଷକ ଜିତେନ୍ କୁମାର ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଛାତ୍ରଛାତ୍ରୀବୃନ୍ଦ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବନ୍ଦାପନା କରି ତିଳକ ଅର୍ପଣ କରିବା ସହ ଗୁରୁ ଦକ୍ଷିଣା ସ୍ୱରୂପ ଉପହାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଗୁରୁଦିବସ ଉପଲକ୍ଷେ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଛାତ୍ରୀମାନେ ଏକ ମନୋରଞ୍ଜନ ଭିତ୍ତିକ ନୃତ୍ୟ ପରିବେଷଣ କରିଥିଲେ।

ଅନୁଷ୍ଠାନର ପରିଚାଳକ ଘନଶ୍ୟାମ ପାଳ “ଆହେ ଗୁରୁ ତୁମେ ପଥ ପ୍ରଦର୍ଶକ” ଶୀର୍ଷକ କବିତା ପାଠ କରି ଗୁରୁଦିବସର ମହତ୍ତ୍ୱ ବର୍ଣ୍ଣନା କରିଥିଲେ। ଓଡ଼ିଆ ଶିକ୍ଷକ ଜିତେନ୍ ଗୁରୁଜୀ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଗୁରୁଙ୍କୁ ଭକ୍ତି କରି ପାଠ ପଢ଼ିଲେ ନିଶ୍ଚୟ ସଫଳତା ହାସଲ କରିବେ ବୋଲି ଉପଦେଶ ଦେଇଥିଲେ। ଶେଷରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ମିଠା ପ୍ରଦାନ କରାଯାଇଥିଲା ଏବଂ ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।