ମୁଖ୍ୟ ଖବର

ବିବାଦୀୟ ଘଟଣାରେ ଶିକ୍ଷକଙ୍କ ନାଁ, ମାଡ଼ ପରେ ୪ ଦିନ ଛୁଟିରେ

By Angul TV Bureau

November 05, 2026

ଅନୁଗୋଳ: ବିଦ୍ୟାଳୟରେ ଶିକ୍ଷାଦାନ ଅପେକ୍ଷା ନିଜ ବ୍ୟକ୍ତିଗତ କାର୍ଯ୍ୟକଳାପକୁ ନେଇ ଏବେ ଚର୍ଚ୍ଚାରେ ଜଣେ ପ୍ରାଥମିକ ଶିକ୍ଷକ। ବଅଁରପାଳ ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କୁ ନେଇ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଶିକ୍ଷକ ଜଣକ ନିଜ ଘର ନିକଟସ୍ଥ ବିଦ୍ୟାଳୟରେ ଚାକିରି ଆରମ୍ଭରୁ ଅବସ୍ଥାପିତ ଅଛନ୍ତି। ବିଦ୍ୟାଳୟକୁ ନିୟମିତ ଆସିବା ଓ ସମୟାନୁବର୍ତ୍ତିତାକୁ ନେଇ ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅସନ୍ତୋଷ ରହିଥିବା ଚର୍ଚ୍ଚା ହେଉଛି। ଏବେ ଜଣେ ବିବାହିତ ଯୁବକ ଓ ଜଣେ ମହିଳାଙ୍କ ସହ ତାଙ୍କର ଏକ ଘଟଣାକୁ ନେଇ ସେ ଅଧିକ ବିବାଦରେ ପଡ଼ିଛନ୍ତି।

ଘଟଣା ଅନୁସାରେ, ଆଲୁମିନିୟମ ପାର୍କ ନିକଟସ୍ଥ ଏକ ଖୋଲା ପଡ଼ିଆରେ ଶିକ୍ଷକ ଜଣକ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକଙ୍କ ସହ ମଦ୍ୟପାନ କରୁଥିଲେ। ଉକ୍ତ ମହିଳା ଓ ଯୁବକଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କରେ ଶିକ୍ଷକ ଜଣକ ମଧ୍ୟସ୍ଥତା କରୁଥିବା କୁହାଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଯୁବକଙ୍କ ପତ୍ନୀ ଓ ପରିବାରବର୍ଗ ଖବର ପାଇ ସେଠାରେ ପହଞ୍ଚିଥିଲେ।

ସେଠାରେ ଉପସ୍ଥିତ ସମସ୍ତଙ୍କୁ ଦେଖିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯୁବକଙ୍କ ପତ୍ନୀ ଉକ୍ତ ମହିଳା, ନିଜ ସ୍ୱାମୀ ଓ ଶିକ୍ଷକଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଶିକ୍ଷକ ଜଣକ ଚାରିଦିନ ଛୁଟି ନେଇଥିବା ଚର୍ଚ୍ଚା ହେଉଛି।

ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶିକ୍ଷକଙ୍କ ଆଚରଣ ଓ କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାର ସତ୍ୟତା ଓ ଅଭିଯୋଗର ପକ୍ଷଗୁଡ଼ିକର ମତାମତ ସ୍ପଷ୍ଟ ହେବା ବାକି ରହିଛି।