ମୁଖ୍ୟ ଖବର

ଲକ୍ଷ୍ମୀ ପୂଜା ବୁଲିବା ବେଳେ ପର୍ସରୁ ୧୦ ହଜାର ଲୁଟ, ଥାନାରେ ମହିଳା

By Angul TV Bureau

November 07, 2023

ଅନୁଗୁଳ: ମହାଲକ୍ଷ୍ମୀଙ୍କ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କଠାରୁ ଲୁଟ। ଅନୁଗୁଳ ସହରରେ ଚାଲିଥିବା ଲକ୍ଷ୍ମୀ ପୂଜା ଦେଖିବା ପାଇଁ ଆସିଥିବା ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ।

ଆଜି ମୋଟଙ୍ଗା ଥାନା ଖଡ଼ଗପ୍ରସାଦ ଗ୍ରାମର କୁନି ସାମଲ (୫୫) ଲକ୍ଷ୍ମୀ ପୂଜା ଦେଖିବା ପାଇଁ ଆସିଥିଲେ। ଦିନ ୧୨ ଟା ବେଳେ ସେ ଏକାକୀ ବଜାର ବୁଲୁଥିବା ବେଳେ ଜଣେ ଅପରିଚିତ ମହିଳା ନିଜ ଶିଶୁକୁ ଧରି କିଛି ବାଟ ତାଙ୍କ ସହିତ ବୁଲି ଥିଲେ। ମହିଳା ହୋଇଥିବାରୁ କୁନିଙ୍କର କୌଣସି ସନ୍ଦେହ ହୋଇନଥିଲା। ଉକ୍ତ ମହିଳାଙ୍କ ସହ ପୁରୁଣା ବସଷ୍ଟାଣ୍ଡରୁ ମେଡିକାଲ ଛକ ପର୍ଯ୍ୟନ୍ତ ବୁଲିଲା ପରେ ମହିଳା ଜଣଙ୍କ ହଠାତ୍ ଉଭାନ୍ ହୋଇଯାଇଥିଲେ। କିଛି ସମୟ ପରେ କୁନି ବ୍ୟାଗ୍ ଚେକ୍ କରିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କ ବ୍ୟାଗରେ ଥିବା ପର୍ସ, ୧୦ ହଜାର ଟଙ୍କା, ମୋବାଇଲ୍ ଏବଂ ଆଧାର କାର୍ଡ ଚୋରି ହୋଇଯାଇଛି। ଏ ନେଇ ସେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଉକ୍ତ ମହିଳାଙ୍କୁ ଖୋଜୁଥିବା ଜଣାଯାଇଛି।