ଘଟଣା ଓ ଦୁର୍ଘଟଣା

୧୦ ବର୍ଷ ପରେ ନିଖୋଜ ଛାତ୍ର ଉଦ୍ଧାର

By Angul TV Bureau

March 14, 2021

ଅନୁଗୁଳୁ: ୨୦୧୧ ମସିହାରେ ଗାଁ’ ଛାଡ଼ି ପଳାଇ ଯାଇଥିବା ବଅଁରପାଳ ଥାନା ଇଲାକାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୁଲିସ । ସେଦିନର ଛାତ୍ର ଆଜି ୨୪ ବର୍ଷର ଯୁବକ। ନିୟମାନୁଯାୟୀ ଶନିବାର ସଂପୃକ୍ତ ଯୁବକଙ୍କୁ ପୁଲିସ ତାଙ୍କର ଦାଦା ଅରୁଣ ବେହେରାଙ୍କ ଜିମାରେ ଛାଡ଼ିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଅଁରପାଳ ଥାନା ବୁଢ଼ାପଙ୍କ ପନ୍ଦରଭରଣିଆ ଗ୍ରାମର ଲିପୁନ୍ ବେହେରା (୨୪) ୧୦ବର୍ଷ ତଳେ ହଠାତ୍ ଗାଁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ । ଲିପୁନ୍ ସେତେବେଳକୁ ଗାଁ’ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁ ଥି ଲେ । ବାପାଙ୍କର ଅକାଳ ବିୟୋଗ ହେବା ପରେ ପରିବାରର ଆର୍ଥିକ ଅବସ୍ଥା ବିଗିଡ଼ି ଯିବାରୁ ସେ କାହାକୁ ନଜଣାଇ ଘର ଛାଡ଼ି ପଳାଇ ଯାଇଥିଲେ । ଅନୁଗୁଳରୁ ଏକ ଟ୍ରେନରେ ବସି ପଞ୍ଜାବର ଅମୃତସର ପହଞ୍ଚିଥିଲେ।ସେଠାରେ ଏକ ଟାୟାର୍ lଦୋକାନରେ କାମ କରିଥିଲେ । ବର୍ଷକ ପରେ ସେ ହାଇଦ୍ରାବାଦ ପଳାଇ ଇଲେକ୍ଟ୍ରିକାଲ ମିସ୍ତ୍ରୀ ଭାବେ ଜୀବିକା ଆରମ୍ଭ କରିଥିଲେ । ଦୀର୍ଘ ଦିନ ପରେ ଏସ୍‌ପି ଜଗମୋହନ ମୀନାଙ୍କ ତତ୍ତ୍ଵାବଧାନରେ ଲିପୁନ୍ ଙ୍କ ତଲାସ ପାଇଁ ପୁଲିସ ଅଭିଯାନ ଚଳାଇଥିଲା । ବଅଁରପାଳ ଥାନାଧିକାରୀ ସୁନିଲ କୁମାର କର, ଏଏସ୍ଆଇ ଅଶୋକ ତ୍ରିପାଠୀ ଲିପୁନଙ୍କ ସମ୍ପର୍କରେ ଟିକିନିକି ତଥ୍ୟ ସଂଗ୍ରହ କରିଥିଲେ । ଏ ଦିଗରେ ସୋସିଆଲ୍ ମିଡ଼ିଆ, ବିଶେଷ କରି ଫେସବୁକ୍ ଯୋଗୁଁ ପୁଲିସର ଅନୁସନ୍ଧାନ ତ୍ବରାନ୍ବିତ ହୋଇପାରିଥିଲା । ସେଠିକାର ପୁଲିସ ସହାୟତାରେ ଲିପୁନଙ୍କୁ ଉଦ୍ଧାର କରାଯାଇ ଶନିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଦୀର୍ଘ ଦିନ ପରେ ଲିପୁନକୁ ପାଇଁ ପରିବାରରେ ଖୁସି ଖେଳିଯାଇଛି ।