ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡ ସ୍ଥିତ ଏକ ଘରେ ଆଜି ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ହୋଇଛି। ସୂଚନା ଅନୁଯାୟୀ, ଏଠାକାର ଦୁଇ ଭାଇ ସଞ୍ଜୟ ସେଠୀ ଓ ଅମର ସେଠୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ଘରେ ସକାଳେ ରୋଷେଇ କରିବା ବେଳେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଫଳରେ ରୋଷେଇ ଘର ସହ ଗୋଟିଏ ବଖରାର ଆଜବେଷ୍ଟସ ଫାଟି ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।
ଏ ନେଇ ପରିବାର ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପାଖାପାଖି ୫୦ ହଜାର ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି।