ମୁଖ୍ୟ ଖବର

ପାଳିତ ହେଲା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଆବିର୍ଭାବ ଦିବସ: ବିଭୁ କୃପା ଲାଭ କଲେ ଶତାଧିକ ଭକ୍ତ

By Angul TV Bureau

September 16, 2026

ଅନୁଗୋଳ: ସ୍ଥାନୀୟ ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ତମ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ଉଷା କୀର୍ତ୍ତନ, ପ୍ରାତଃ ବିନତୀ, ଗ୍ରନ୍ଥପାଠ, ସଙ୍ଗୀତାଞ୍ଜଳି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସତସଙ୍ଗ ବିହାର ପରିଚାଳକ ମାଧବ ଚନ୍ଦ୍ର ସାହୁଙ୍କ ପରିଚାଳନାରେ ଆୟୋଜିତ ସତସଙ୍ଗରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରରୁ ଆଗତ ସହ-ପ୍ରତିଋତ୍ୱିକ କୈଳାସ ଚନ୍ଦ୍ର ବେହେରା ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଜୀବନ ଓ ଦିବ୍ୟ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଯୁଗେ ଯୁଗେ ଈଶ୍ୱର ପୁରୁଷୋତ୍ତମ ଭଗବାନ ଅବତାର ପୁରୁଷ ଭାବେ ଧରାବତରଣ କରିଥାନ୍ତି। ନର ଲୀଳା ମାଧ୍ୟମରେ ମାନବ ସମାଜକୁ ବଞ୍ଚିବା ଓ ବଢ଼ିବାର ପଥ ଦେଖାଇଥାନ୍ତି। ତାଙ୍କର ଅନୁସରଣ ଓ ଅନୁକରଣ ଭିତର ଦେଇ ମଣିଷ ଦେବତ୍ୱ ଲାଭ କରିଥାଏ। କେବଳ ମାନବ ସମାଜ ନୁହେଁ, ଜୀବ ଜନ୍ତୁ, କୀଟ ପତଙ୍ଗ, ତରୁ ଲତା ଠାରୁ ଜ୍ଞାନ, ବିଜ୍ଞାନ, ଧର୍ମ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଦର୍ଶନ ଅନନ୍ୟ’।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କର୍ମୀ ନିମାଇଁ ଚରଣ ବେହେରା, ଅଶୋକ କୁମାର ଗଡ଼ନାୟକ, ତାରାକାନ୍ତ ବେହେରା, ଅଚ୍ୟୁତାନନ୍ଦ ବାରିହା, ପ୍ରତାପ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଭଜନ, କୀର୍ତ୍ତନ, ସଙ୍ଗୀତ ଓ କୋରସ୍ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏକ ହଜାରରୁ ଊର୍ଦ୍ଧ୍ୱ ଭକ୍ତ, ଇଷ୍ଟପ୍ରାଣ ଗୁରୁଭାଇ ଓ ମା’ମାନେ ଯୋଗ ଦେଇ ବିଭୁ କୃପା ଲାଭ କରିଥିଲେ।