ମୁଖ୍ୟ ଖବର

୧୩ତମ ସାତକୋଶିଆ ମହୋତ୍ସବ ୨୦୨୫ ଉଦଯାପିତ: ଓଡ଼ିଶୀ ଓ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଲେ ଦର୍ଶକ

By Biswaranjan Pattnaik

December 14, 2025

ଅନୁଗୁଳ: ସ୍ଥାନୀୟ ସଭାଘରେ ୧୩ତମ ସାତକୋଶିଆ ମହୋତ୍ସବ ଉଦଯାପିତ ହୋଇଛି। ଦୁଇଦିନିଆ ମହୋତ୍ସବର ଉଦଯାପନୀ ସନ୍ଧ୍ୟାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଅଭିଭାଷଣରେ ମୁଖ୍ୟ ଅତିଥି ନୃତ୍ୟ ନିଳୟର ପ୍ରତିଭା ଅନ୍ୱେଷଣ ଏବଂ କଳା ସଂସ୍କୃତିର ପ୍ରସାର କ୍ଷେତ୍ରରେ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ରୂପେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇ ଓଡ଼ିଆ କଳା ସଂସ୍କୃତି ଇତିହାସରେ ଅନୁଗୁଳର ବିଶେଷ ଅବଦାନ ରହିଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସଂଗଠନର ଉପଦେଷ୍ଟା ହେମନ୍ତ କୁମାର ଦାଶ, ସଭାପତି ଗୁରୁ ଅନିତା ସିଂହ ଦେଓ, ସଂସ୍ଥାର ସମ୍ପାଦିକା ଗୁରୁ ସ୍ବପ୍ନାରାଣୀ ସିହ୍ନା, ନିର୍ଦ୍ଦେଶକ ଯଜ୍ଞ ନାରାୟଣ ରାୟ ପ୍ରମୁଖ ଯୋଗ ଦେଇଥିଲେ। ସମାରୋହରେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ସାତକୋଶିଆ ସମ୍ମାନ, ଓଡ଼ିଶୀ କଣ୍ଠ ଶିଳ୍ପୀ ଗୁରୁ ହିମାଂଶୁ ଶେଖର ସ୍ୱାଇଁଙ୍କୁ ପଦ୍ମଚରଣ ସିହ୍ନା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି କଳା ଶିକ୍ଷକ ରବୀନ୍ଦ୍ର ନାଥ ସାହୁଙ୍କୁ ପଦ୍ମଚରଣ ସିହ୍ନା କଳା ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ପରେ ସାଂସ୍କୃତିକ ବିଚିତ୍ରା ଆରମ୍ଭ ହୋଇଥିଲା। ସଚ୍ଚିଦାନନ୍ଦ ଦାସଙ୍କ ତାଳ ବାଦ୍ୟ ଓ ହିମାଂଶୁ ସ୍ୱାଇଁଙ୍କ ଓଡ଼ିଶୀ ସଙ୍ଗୀତ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। ରୁଦ୍ରାକ୍ଷ ଫାଉଣ୍ଡେସନର ରୋଜି ସ୍ୱାଇଁ ଏକକ ଓଡ଼ିଶୀ ଏବଂ ରିତୁଶ୍ରୀ ବେହେରା ଓ ସୌମ୍ୟାଶ୍ରୀ ବେହେରା ଓଡ଼ିଶୀ ଯୁଗଳବନ୍ଦୀ ପ୍ରଦର୍ଶନ କରିଥିଲେ। ମୃତ୍ୟୁଞ୍ଜୟ ରାୟ ଓ ଡ଼ା ଅଙ୍କିତା ରଥ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଯଜ୍ଞ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।