ସ୍ୱତନ୍ତ୍ର

ବନ୍ଦ ହେବ ୫୨ ବର୍ଷର ଟିଟିପିଏସ୍‌ !

By Biswaranjan Pattnaik

December 21, 2020

ଅନୁଗୁଳ: ଗତ ୫୨ ବର୍ଷ ଧରି ସାରା ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଇ ଆସୁଥିବା ତାଳଚେର ଥର୍ମାଲ୍‌ ପାୱାର ଷ୍ଟେସନ୍‌ ଏବେ ବନ୍ଦର ଦ୍ବାରଦେଶରେ। ୨ ହଜାର କର୍ମଚାରୀ ଛଟେଇ ଆଶଙ୍କାରେ ଭୀତତ୍ରସ୍ତ। ପ୍ଲାଣ୍ଟ ବନ୍ଦ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଛାଟ, ନୂତନ କାରଖାନା ସ୍ଥାପନରେ ରାଜ୍ୟ ସରକାରଂକ ମଞ୍ଜୁରିରେ ବିଳମ୍ବ ତାଳଚେର ଟିଟିପିଏସକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଏମ୍‌ସିଏଲ୍‌ର ଜଗନ୍ନାଥ ଖଣିରୁ କୋଇଲା, ବ୍ରାହ୍ମଣୀରୁ ପାଣି ଏଠାରେ ବିଦ୍ୟୁତ୍ ଉତ୍ପାଦନର ମୂଳ ଭିତ୍ତି। ୧୯୬୮ ଫେବ୍ରୁଆରିରେ ଏଠି ଆରମ୍ଭ ହୋଇଥିଲା ବିଦ୍ୟୁତ୍‌ ଉତ୍ପାଦନ। ୪୬୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ପ୍ରାୟତଃ ୪୦୦ ମେଗାୱାଟ୍ ବିଜୁଳି ଉତ୍ପନ୍ନ ହୋଇଥାଏ। ସମସ୍ତ ବିଜୁଳି ରାଜ୍ୟ ସରକାରଙ୍କୁ ହିଁ ଯୋଗାଣ ହୋଇଥାଏ।

ତେବେ ପ୍ଲାଣ୍ଟର ଆୟୁଷ ସରିବାକୁ ବସିଥିଲା ବେଳେ ଏହାର ଉନ୍ନତିକରଣ ମାତ୍ରାଧିକ ବ୍ୟୟ ବହୁଳ। ତା ପୂର୍ବରୁ ନୂତନ ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ଅର୍ଥମଞ୍ଜୁର କରିଥଲେ ହେଁ ରାଜ୍ୟ ଆବଶ୍ୟକ ଅନୁମତି ଦେବାରେ ଅହେତୁକ ବିଳମ୍ବ କରିଥିଲା। ଶ୍ରେୟ ନେବାକୁ ଟଣାଓଟରା ନୀତି ଭିତରେ ପ୍ଲାଣ୍ଟ ଭାଗ୍ୟ ଝୁଲି ରହିଛି। ଏହାଛଡା, ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମରେ ମଧ୍ୟ ଏହି ପ୍ଲାଣ୍ଟ ଅନେକ ସୁନାମ ଅର୍ଜନ କରିଛି। ସେଣ୍ଟ୍ରାଲ୍‌ ପଲ୍ୟୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡର ଗାଇଡ୍‌ଲାଇନ୍‌ ଅନୁସାରେ ପ୍ଲାଣ୍ଟ ଅପ୍‌ଗ୍ରେଡ୍‌ ନହେଲେ ଜାନୁଆରି ୧ ତାରିଖଠାରୁ ପ୍ଲାଣ୍ଟ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଏହାଦ୍ବାରା ୨୦୨୧ ଆରମ୍ଭରୁ କେବଳ ବିଜୁଳି ସଙ୍କଟ ଦେଖାଯିବନି, କର୍ମଚାରୀ, ଶ୍ରମିକଙ୍କ ସମେତ ପାର୍ଶ୍ଵବର୍ତ୍ତୀ ୫ ଟି ପଂଚାୟତର ଅଧିବାସୀ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।