ମୁଖ୍ୟ ଖବର

ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

By Angul TV Bureau

April 30, 2025

ଅନୁଗୁଳ: ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌ ପୋକ୍‌ସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ଗତ ୨୯. ୬. ୨୦୨୩ଦିନ ଖମାର ଅଞ୍ଚଳର ଜଣେ ନାବାଳିକା ସନ୍ଧ୍ୟାରେ ନିଜ ଘର ବାହାରେ ବୁଲୁଥିଲା। ଦୀର୍ଘ ସମୟ ଯାଏଁ ସମ୍ପୃକ୍ତା ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ପୁନର୍ବାର ୩୦. ୬. ୨୦୨୩ ଦିନ ଖୋଜିବା ବେଳେ ଖମାର ନିକଟସ୍ଥ ପରମାନନ୍ଦପୁର ଗ୍ରାମ ଆଡ଼େ ଯିବା ସମୟରେ ଏକ ପୋଲ ନିକଟରେ ନାବାଳିକାର ପାଟି ଶୁଣିଥିଲେ। ପରିବାର ଲୋକେ ଉକ୍ତ ପୋଲ ନିକଟକୁ ଯାଇ ଦେଖିଲେ ଯେ ଗ୍ରାମର ଜଣ୍ଡକା ପୂର୍ତ୍ତି ନାବାଳିକା ସହ ଦୁଷ୍କର୍ମ କରୁଛି। ପରିବାର ଲୋକଙ୍କୁ ଦେଖି ଜଣ୍ଡକା ପୂର୍ତ୍ତି ଫେରାର ହୋଇଯାଇଥିଲା ବୋଲି ନାବାଳିକାର ପରିବାର ପକ୍ଷରୁ ଖମାର ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅଭିଯୋଗ ଆଧାରରେ ଖମାର ଥାନା ପୁଲିସ ବିଏନ୍‌ଏସ୍‌ ଓ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଜଣ୍ଡକା ଓରଫ ରାମ ପୂର୍ତ୍ତିକୁ ଗିରଫ କରି କୋର୍ଟଚାଲାଣ କରିଥିଲେ।ବୁଧବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ପୋକ୍‌ସୋ ସୌମ୍ୟା ଶୁଭଦର୍ଶିନୀ ଏହି କେଶର ଶୁଣାଣି କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।ଏଥିସହ ପୀଡ଼ିତାକୁ ୭ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।