ମୁଖ୍ୟ ଖବର

ଯୁବତୀଙ୍କୁ ଘରେ ପଶି ଦୁଷ୍କର୍ମ, ଅଭିଯୁକ୍ତକୁ ୨୫ବର୍ଷ କାରାଦଣ୍ଡ ଓ ଜରିମାନା

By Angul TV Bureau

December 22, 2025

ଅନୁଗୁଳ: ଦୁଷ୍କର୍ମକାରୀକୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ।ସୂଚନା ମୁତାବକ, ଗତ ୧୩. ୦୨. ୨୦୨୪ରାତି ଅଧରେ ନାଲକୋ ଥାନା ଅନ୍ତର୍ଗତ ହଟିଙ୍ଗରେ ମଜୁରିଆ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।

ଭରତ ତିମିଆ (୨୩) ତାଙ୍କୁ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା। ଏନେଇ ପରଦିନ ସକାଳେ ସମ୍ପୃକ୍ତ ଯୁବତୀ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଦଫା ୪୫୦/376(2)(n)ରେ ମାମଲା ରୁଜୁ କରି ଅଭିଯୁକ୍ତ ଭରତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ମିଶ୍ର ୮ଜନ ସାକ୍ଷୀ ପ୍ରମାଣ ଆଧାରରେ ଭରତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ଏଥିସହିତ ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପା ଅର୍ଥ ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ ଭୂତିଆ ପରିଚାଳନା କରୁଥିଲେ।