ମୁଖ୍ୟ ଖବର

ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍ ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

By Swagatika Samantray

May 24, 2022

ଅନୁଗୁଳ: ଜଣେ ୧୭ ବର୍ଷର ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରିଥିବା ମାମଲାର ବିଚାରକରି ଶନିବାର ଅଭିଯୁକ୍ତ ଯୁବକଙ୍କୁ ଅନୁଗୁଳ ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପିଆର ବୋହିଦାର ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୨୧ ନଭେମ୍ବର ୧୪ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ୧୭ ବର୍ଷର ନାବାଳିକାଙ୍କ ମୁହଁକୁ ଅନ୍ୟ ଏକ ନଗ୍ନ ଫଟୋ ସହ ଯୋଡି  ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏ ନେଇ ନାବାଳିକା ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଥାନା କେସ୍ ନଂ ୫୯୭/୨୧ରେ ଆଇପିସି ଦଫା ୨୯୨,୫୦୦, ଆଇଟି ଆକ୍ଟର ଧାରା ୬୬(ଇ)/୬୬ ଓ ପକ୍ସୋ ଆଇନର ଧାରା ୧୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏଥିରେ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ତୁରୁଡ଼ାନାଳୀ ଗାଁର ଗୟାଧର ରଣା(୨୫)ଙ୍କୁ ଗିରଫକରିଥିଲା। ଗୟାଧର ଇଷ୍ଟାଗ୍ରାମରେ ଏକ ନକଲି ଆଇଡି ତିଆରି କରିଥିଲା। ଏହି ଆଇଡିରେ ନାବାଳିକାଙ୍କ ମୁହଁକୁ ନେଇ ଏକ ନଗ୍ନ ଫଟୋରେ ଯୋଡ଼ି ଭାଇରାଲ କରିଥିଲା। ଏହି ମାମଲାରେ ମୋଟ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଶ୍ରୀ ବୋହିଦାର ଅଭିଯୁକ୍ତ ଗୟାଧର ରଣାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।