ମୁଖ୍ୟ ଖବର

ମାସେ ପାଇଁ ସ୍ଥଗିତ ହେଲା ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ, ସୂଚନା ଦେଲା ତାଳଚେର ସୁରକ୍ଷା ମଞ୍ଚ

By Angul TV Bureau

July 28, 2023

ତାଳଚେର : ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ନାଲକୋ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ଠାରୁ ଏକ ମାସ ପାଇଁ ସ୍ଥଗିତ ରହିଛି। ଏନେଇ ଆଜି ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ମଞ୍ଚର ସୂଚନା ଅନୁସାରେ, ନାଲକୋ କର୍ତ୍ତୃପକ୍ଷ ଲୋକଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ନେଇ ବିଫଳ ହେବାରୁ ଦୀର୍ଘ ୧୬ ଦିନ ଧରି ମଞ୍ଚ ନେତୃତ୍ବରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନେଇ ଏହି ଆନ୍ଦୋଳନ ଚାଲିଥିଲା l ଏହାର ସମାଧାନପାଇଁ ତାଳଚେର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନାଲକୋର ସିଏମଡି ଓ ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁଙ୍କ ଉପସ୍ଥିତିରେ ଗତ କାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଆଗାମୀ ଏକ ମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଡକାଯାଇ କ୍ଷତିଗ୍ରସ୍ତଙ୍କ ଦାବିଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ନିଷ୍ପତ୍ତି ହେଇଥିଲା। ଏଣୁ ମାସେ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ସମ୍ମିଳନୀରେ ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ରୀତାରାଣୀ ଦାସ, ନାଲକୋ ସିପିପି ମୂଖ୍ୟ ସୁନୀଲ ମହାପାତ୍ର, ନାଲକୋ ଏମ୍ପ୍ଲୋଇସ ୟୁନିଅନର କର୍ମକର୍ତ୍ତା, କ୍ଷତିଗ୍ରସ୍ତ ପଞ୍ଚାୟତଗୁଡ଼ିକର ଜନପ୍ରତିନିଧି, ଜମିହରା ପ୍ରଜାଗଣ ଉପସ୍ଥିତ ଥିଲେ l