ମୁଖ୍ୟ ଖବର

ଆରମ୍ଭ ହେଲେ ତାଳଚେରର ପଡ଼ିରହିଥିବା ଅଧାପନ୍ତରିଆ ରାସ୍ତା କାମ: ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ୭ ଦିନ ଧରି ଚାଲିଥିବା ଆନ୍ଦୋଳନ ସ୍ଥଗିତ

By Angul TV Bureau

November 22, 2023

ତାଳଚେର: ଦାବି ପୂରଣ ପରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଚାଲିଥିବା ତାଳଚେର ଗୋଡ଼ିବନ୍ଧ-ଏନଟିପିସି ରାସ୍ତା ଅବରୋଧ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇଛି। ଆଜି ସ୍ଥାନୀୟ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଆନ୍ଦୋଳନ ବନ୍ଦ ହୋଇଛି।

ବୈଠକରେ ସାଂସଦ ମହେଶ ସାହୁ ଯୋଗଦେଇ ଗୋଡିବନ୍ଧ ଠାରୁ ଏନଟିପିସି ରାସ୍ତାର ଦୂରବସ୍ଥା ସମ୍ପର୍କରେ କହିବା ସହ କାର୍ଯ୍ୟରତ କମ୍ପାନୀ ଗୁଡିକର ଅବହେଳାକୁ ନାପସନ୍ଦ କରିଥିଲେ। ଏ ଅବସରରେ ସେ ଯଥାଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରିବା, ସିଏସଆର ଅର୍ଥ ଖର୍ଚ୍ଚ କରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ କରାଯିବା ଓ ସ୍ଥାନୀୟ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ।

ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଅଡ଼ି ବସିବାରୁ ରାସ୍ତା ମରାମତି କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ଏଣୁ ଆନ୍ଦୋଳନ ବନ୍ଦ ହୋଇଛି।

ଆଜିର ବୈଠକରେ ପାଳଲହଡ଼ା ବିଧାୟକ ମୁକେଶ ପାଳ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ, ଏସଡିପିଓ ମାନସ ରଞ୍ଜନ ବାରିକ, ସଦର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।